ବିଏସ୍ଏଫ୍ ଫ୍ରଣ୍ଟିୟର କମାଣ୍ଡର ଭାବେ ହରମିନ୍ଦର ପାଲ ଦାୟିତ୍ୱ ଗ୍ରହଣ କଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଜି ହରମିନ୍ଦର ପାଲ ଗୁରୁବାର ଓଡ଼ିଶା ଫ୍ରଣ୍ଟିଅର କମାଣ୍ଡର ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍)ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ପୂର୍ବରୁ ଏହି ଦାୟିତ୍ୱରେ ଥିବା ଆଇଜି ଏକେ ସିଂହଙ୍କୁ ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥାନାନ୍ତର କରାଯାଇଛି।

ମାଓବାଦୀଙ୍କ ପାଇଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୦,୦୦୦ରୁ ଅଧିକ ବିଏସ୍‌ଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିବାବେଳେ ବିଶେଷ କରି ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ସର୍ବାଧିକ ଯବାନଙ୍କୁ ମୁତୟନ କରାଯାଇଛି। ଶ୍ରୀ ସିଂହ ମାଓବାଦୀଙ୍କ ମୁକାବିଲା କରିବା ଓ  ପରିସ୍ଥିତିକୁ ନିୟନ୍ତ୍ରିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେହିପରି ହରମିନ୍ଦର ପାଲ ୧୯୮୪ରେ ବିଏସ୍‌ଏଫ୍ କ୍ୟାଡରରେ ରହି କାଶ୍ମୀରର ମିଲିଟାନ୍ସି ଓ ଗୁରିଲା ଯୁଦ୍ଧରେ ପାରଦର୍ଶିତା ହାସଲ କରିଛନ୍ତି। ଆଜି ସେ ଏହି ପଦ ଗ୍ରହଣ ସମୟରେ କହିଛନ୍ତି ଯେ ଲାଲ ବାହିନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ମାଲକାନଗିରିର ନିଷିଦ୍ଧାଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରାଯିବ।