ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ବର୍ଷର ବଜେଟ ଅଧିବେଶନରେ ପ୍ରଶ୍ନକାଳ ହେବ, ଯାହାକି ଗତବର୍ଷ କରୋନା ମହାମାରୀ ଯୋଗୁଁ ମୌସୁମୀ ଓ ଶୀତକାଳୀନ ଅଧିବେଶନରେ ହୋଇପାରି ନଥିଲା। ଦିନ ୧୦ଟା ୩୦ରୁ ୧୧ଟା ୩୦ ପ୍ରଶ୍ନକାଳ, ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ଶୂନ୍ୟକାଳ ଓ ଦିନ ୧୨ଟାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ।
ଅଧିବେଶନକୁ ସୂଚାରୁ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜି ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେବେ। ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଆସନ୍ତା ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରିବେ। ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ସାଧାରଣ ଆଲୋଚନା ହେବ ଏବଂ ଏହି ଦିନରେ ଗୃହକାର୍ଯ୍ୟ ସନ୍ଧ୍ୟା ୭ଟା ଯାଏଁ ଜାରି ରହିବ। ସେହିଭଳି ଗୃହ ବିଭାଗ ଖର୍ଚ୍ଚ ଦାବି ଓ ୨୦୨୧-୨୨ ଆର୍ଥିକ ବର୍ଷ ବ୍ୟୟ ମଞ୍ଜୁରି ବିଲ ଆଲୋଚନା ମାର୍ଚ୍ଚ ୩୧ ତାରିଖରେ ହେବ।