ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବାରୁ ପିଲାଙ୍କ ପାଠପଢ଼ାରେ ବ୍ୟାପକ ଅବହେଳା ସୃଷ୍ଟି ହୋଇଛି। ଏନେଇ ପୂର୍ବରୁ ସ୍କୁଲ ସିଲାବସ୍ ହ୍ରାସ କରାଯାଇଥିଲେ ସୁଦ୍ଧା ପିଲାମାନଙ୍କ ସିଲାବସ ସରିନାହିଁ। ଏହି ପରିପ୍ରେକ୍ଷୀରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ‘ପରୀକ୍ଷା ଦର୍ପଣ’ ନାମକ ଏକ ଟେଷ୍ଟ ପେପରର ଆଜି ଉନ୍ମୋଚନ କରାଯାଇଛି। ଏହି ‘ପରୀକ୍ଷା ଦର୍ପଣ’କୁ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉନ୍ମୋଚିତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ ସୂଚନା ଦେଇଛନ୍ତି କି, ଏହି ଗାଇଡ ପୁସ୍ତିକାଟି ୭୦୦ ପୃଷ୍ଠା ସମ୍ବଳିତ। ଏଥିରେ ମାଟ୍ରିକ ପରୀକ୍ଷା ପାଇଁ ସମ୍ଭାବ୍ୟ ପ୍ରଶ୍ନୋତ୍ତର ରହିଛି। ଯାହାକି ପିଲାଙ୍କୁ ପରୀକ୍ଷାରେ ସାହାଯ୍ୟ କରିବ। ଏହି ବହି ରାଜ୍ୟର ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତକ ମାଗଣାରେ ଦିଆଯିବ। ଏଥିସହ ଶିକ୍ଷକ ମାନଙ୍କ ସାହାଯ୍ୟ ପାଇଁ ପ୍ରତି ସ୍କୁଲକୁ ମଧ୍ୟ ଗୋଟିଏ ଲେଖାଏଁ ବହି ଦିଆଯିବ। ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ଏହି ପୁସ୍ତକ ପଠାଯିବ।
ଏଥିସହ ଶ୍ରୀ ଦାସ କହିଛନ୍ତି କି ଫେବୃଆରୀ ୧୨ ତାରିଖ ସୁଦ୍ଧା ଏହି ପୁସ୍ତକ ଗୁଡ଼ିକୁ ସମସ୍ତ ଡିଇଓ ଅଫିସ ଓ ଫେବୃଆରୀ ୧୫ ସୁଦ୍ଧା ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ ଧାର୍ଯ୍ୟ ହୋଇଛି। ଏହି ପୁସ୍ତକ ବଣ୍ଟନ ପ୍ରକ୍ରିୟା ଉପାନ୍ତ ଅଞ୍ଚଳରୁ ଆରମ୍ଭ ହେବ। ତେବେ ଏହି ପୁସ୍ତକ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଚି କି ନାହିଁ ସେଥିପ୍ରତି ଡିଇଓ, ବିଇଓ ଓ ପ୍ରଧାନ ଶିକ୍ଷକମାନେ ଧ୍ୟାନ ଦେବାକୁ ଶ୍ରୀ ଦାସ କହିଛନ୍ତି।