ଦିନକରେ ରାଜ୍ୟରେ ୧୩୦ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଗ୍ରାଫ୍‌ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। ଗତକାଲି ରିପୋର୍ଟରେ ରାଜ୍ୟରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରିପୋର୍ଟରେ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କ୍ୱାରେଣ୍ଟାଇନ୍‌ରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୫୪। ଏହାବ୍ୟତୀତ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ୧୩୦ କରୋନା ଆକ୍ରାନ୍ତଙ୍କ ଭିତରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୩୪,୪୩୦ରେ ପହଞ୍ଚିଥିବା ବେଳେ ୩,୩୧,୧୪୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ରାଜ୍ୟରେ ୧,୩୨୭ ଆକ୍ଟିଭ କେସ୍‌ ରହିଛି।

ଗତକାଲି ପରି ଆଜି ବି ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩ରେ ପହଞ୍ଚିଛି। ସେହିପରି ସାରା ରାଜ୍ୟରେ କରୋନାରେ ଏହାକୁ ମିଶାଇ ଏଯାବତ ୧,୯୦୬ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୧୪୧, ଗଞ୍ଜାମରୁ ୨୪୮ ଓ ପୁରୀରୁ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି।