ଚିଲିକାରେ ବଢ଼ିଲା ଇରାୱାଡି ଡଲଫିନ୍‌ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିଲିକାରେ ବଢ଼ିଲା ବିରଳ ପ୍ରଜାତି ଇରାୱାଡି ଡଲଫିନଙ୍କ ସଂଖ୍ୟା। ଚିଲିକା ବିକାଶ ପ୍ରାଧିକରଣ (ସିଡିଏ)ର ବାର୍ଷିକ ସର୍ଭେ ଅନୁଯାୟୀ ବର୍ଷ ୨୦୧୯ ତୁଳନାରେ ୨୦୨୦ରେ ଏଠାକାର ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ରେ ଏଠାରେ ଇରାୱାଡି ଡଲଫିନଙ୍କ ସଂଖ୍ୟା ୧୫୦ ଥିବାବେଳେ ୨୦୨୦ରେ ୧୫୬ରେ ପହଞ୍ଚିଛି। ଆଜି ୧୮ ଟି ଟିମକୁ ନେଇ ୬ ଘଣ୍ଟା ଧରି ଚାଲିଥିଲା ଡଲଫିନ୍‌ ଗଣନା। ବାଲୁଗାଁ ଠାରୁ ୧୦ଟି ଟିମ୍‌, ସାତପଡ଼ାରୁ ୮ ଟିମ‌କୁ ନେଇ ଗଣନା କାର୍ଯ୍ୟ ଚାଲିଥିଲା। ଏବର୍ଷ ଚିଲିକାରେ ୧୫୬ଟି ଡଲଫିନ ଥିବା ଗଣନାରୁ ଜଣାପଡ଼ିଛି।

ଚିଲିକାରେ ବାସ କରୁଥିବା ଇରାୱାଡି ଡଲଫିନ ହେଉଛି ଫ୍ଲାଗସିପ୍‌ ପ୍ରଜାତିର। ଏହି ପ୍ରଜାତିର ଡଲଫିନ ବର୍ତ୍ତମାନ ଏସିଆ ସୀମା ତଥା ଚିଲିକାଠାରୁ ଇଣ୍ଡୋନେସିଆ ଭିତରେ ହିଁ ଦେଖିବାକୁ ମିଳେ। ଏନେଇ ଭାରତୀୟ ଇରାୱାଡି ଡଲଫିନ ୱାଇଲ୍ଡ ଲାଇଫ ଅଧିନିୟମ-୧୯୭୨ରେ ଉଲ୍ଲେଖ ଥିବା ସିଡିଏ ନିଜ ବିବୃତ୍ତିରେ କହିଛି।

ରାଜ୍ୟ ଜଙ୍ଗଲ ବିଭାଗର ୱାଇଲ୍ଡ ଲାଇଫ ୱିଙ୍ଗ ସହ ସମନ୍ୱୟ ରକ୍ଷା କରି ଇରାୱାଡି ଡଲଫିନଙ୍କ ସୁରକ୍ଷା ତଥା ସଂରକ୍ଷଣ ପାଇଁ ସିଡିଏ ଅନେକ ପଦେକ୍ଷପ ଆରମ୍ଭ କରିଛି ବୋଲି ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି।