ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାର ଷ୍ଟାର୍ଟଅପ୍ ନୀତି ଦେଶରେ ସର୍ବୋତ୍ତମ। ଯୁବ ଶିଳ୍ପୋଦ୍ୟୋଗୀ ଏହାର ସୁଯୋଗ ନେବା ସହିତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବ୍ରାଣ୍ଡ ପ୍ରସ୍ତୁତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ତିନି ‘ସ’ ଅର୍ଥାତ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ ସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ଶୁକ୍ରବାର ‘ସମ୍ବାଦ’ ଗ୍ରୁପ ଦ୍ୱାରା ଆୟୋଜିତ ୪ର୍ଥ ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ-ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ୨୦୨୧ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଏବେ ସମଗ୍ର ଦେଶରେ ଏକ ପସନ୍ଦଯୋଗ୍ୟ ପୁଞ୍ଜିନିବେଶ ସ୍ଥଳୀରେ ପରିଣତ ହୋଇଛି। କରୋନା କାଳରେ ମଧ୍ୟ ଓଡ଼ିଶା ବିପୁଳ ପୁଞ୍ଜି ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ଗତ ଫେବ୍ରୁଆରି ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପ୍ରାୟ ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜି ଆକୃଷ୍ଟ ହୋଇପାରିଛି। ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି ଓ ସହଜ ମଞ୍ଜୁରି ବ୍ୟବସ୍ଥା ହିଁ ଏହାର ମୂଳକାରଣ। ତେଣୁ ଆଗାମୀ ଦିନରେ ଓଡ଼ିଶାର ବ୍ୟବସାୟିକ ବାତାବରଣକୁ ଆହୁରି ଉନ୍ନତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଓଡ଼ିଶାର ଯୁବକ ରିତେଶ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଓୟୋ ହୋଟେଲ୍ସର ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ହୋଟେଲ ଉଦ୍ୟୋଗରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଏକ ସହଜ ସମାଧାନ ନେଇ ଆସିଛନ୍ତି, ମାତ୍ର ତାଙ୍କର ନିଜସ୍ୱ କୌଣସି ହୋଟେଲ ନାହିଁ। ତେଣୁ ଲୋକଙ୍କ ସମସ୍ୟାକୁ ଚିହ୍ନି ତା’ର ସହଜ ସମାଧାନ ବାହାର କରିବା ପାଇଁ ବ୍ରାଣ୍ଡ ପ୍ରସ୍ତୁତ କରିବା ଆବଶ୍ୟକ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବର୍ତ୍ତମାନ ସମୟରେ ଆମେ ଓଡ଼ିଶାର ସମସ୍ୟାକୁ ଦାୟିତ୍ୱର ସହ ନେବା ସହ ସମାଜିକ ଉଦ୍ୟମରେ ଏହାର ସମାଧାନ କରିବା ଦରକାର। ୨୦୨୧କୁ ପ୍ରବେଶ କରିଥିବାବେଳେ ଆଉ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ଓଡ଼ିଶାର ଉନ୍ନତି ପାଇଁ ଥିବା ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିବା ତଥା ବ୍ୟବସ୍ଥା ତିଆରି କରିବା ପାଇଁ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଦାୟିତ୍ୱ ନେବା ଉଚିତ। ଏହି ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିପାରିବ।
ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍ ଓଡ଼ିଶାର ଚିନ୍ତା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ ସେ ହିଁ ଆମ ଜାତିର ଅସ୍ମିତାର ପରିଚୟ। ଏହି ସମୟରେ ଓଡ଼ିଶାରେ ପ୍ରତିବର୍ଷ ଜନ୍ମ ହେଉଥିବା ୮ ଲକ୍ଷ ଶିଶୁଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକରଯୁକ୍ତ ଖାଦ୍ୟ ନ ମିଳିବା ଆଜିର ସମୟରେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ।
ଶ୍ରୀ ପ୍ରଧାନ କହିଥିଲେ, ପ୍ରଗତି ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି। ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ପର୍ଯ୍ୟଟନର ସମ୍ଭାବନା ଏବଂ ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ। ଓଡ଼ିଶା ହେଉଛି ଭାରତର ବୃହତମ ଲୁହାପଥର, ଅଶୋଧିତ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ। ବହୁ ଖଣି ନୀତି ପରିବର୍ତନ ତଥା ଜାତୀୟ ଇସ୍ପାତ୍ ନୀତି ଦ୍ୱାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଯୋଗଦାନ ୧୦୦ ମିଲିୟନ ଟନ୍ ରହିବାର ଆକଳନ କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିର କଲେଜ ଛାତ୍ର ଶିବ ପାତ୍ର ଇଂଟରନେଟର ଉପଯୋଗ କରି ବାସି ଫୁଲରୁ ସୁଗନ୍ଧ ଧୂପକାଠି ତିଆରି କରି ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ନିଆଳିର ଉପେନ୍ଦ୍ର ରାଉତ ନିଜ ଜମିରେ ଥାଇଲ୍ୟାଣ୍ଡର ସୁସ୍ୱାଦୁ ଫଳ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି, ଏପରି ସମ୍ଭାବନା ଆଜି ଓଡ଼ିଶାରେ ଦେଖାଦେଇଛି। ଏହି ସମସ୍ତ ସମସ୍ୟା, ସମ୍ଭାବନା ଓ ସମାଧାନକୁ ଦୃଷ୍ଟିରେ ରଖି ୨୦୩୬ରେ ଓଡିଶାକୁ ଉନ୍ନତିର ପଥରେ ଆଗେଇ ନେବା ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ।