ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଦେବେନ୍ଦ୍ରପୁରଠାରେ ପ୍ଲାନେଟୋରିୟମ ନିର୍ମାଣ ଆଶା ସଞ୍ଚାରିତ ହୋଇଛି। ଓଡ଼ିଶା ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆସନ୍ତାକାଲି ଉକ୍ତ ସ୍ଥାନ ପରିଦର୍ଶନରେ ଆସୁଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ୨୦୧୬ ଅଗଷ୍ଟରେ ଗୋପାଳପୁର, ଜୟପୁର ଓ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ହେବାର ଘୋଷଣା କରିଥିଲେ। ବାରିପଦାଠାରେ ପ୍ଲାନେଟୋରିୟମ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରାଯିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିବା ପରେ ପ୍ରଶାସନ ପକ୍ଷରୁ ବାରିପଦା ପୌରାଞ୍ଚଳର ଖାତା ନମ୍ବର ୧୯୩ରେ ୫ ଏକର ଜମିକୁ ଚିହ୍ନଟ କରାଯାଇ ସେଠାରେ ଏକ ଫଳକ ଲଗାଯାଇଥିଲା।
ଏହାପରେ ୨୦୧୯ ଅଗଷ୍ଟରେ ବିଧାନସଭାରେ ବିଜେଡ଼ି ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀପଣ୍ଡା ବାରିପଦା, ରାୟଗଡ଼ା, କେଉଁଝର ଓ ଗୋପାଳପୁରଠାରେ ମୋଟ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଟି ପ୍ଲାନେଟୋରିୟମ ନିର୍ମାଣ ହେବ ବୋଲି ସୂଚନା ଦେବାସହିତ ଗୋପାଳପୁର ପ୍ଲାନେଟୋରିୟମଟି ୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ବେଳେ ବାରିପଦା, ରାୟଗଡ଼ା ଓ କେଉଁଝରଠାରେ ୨୧ କୋଟି ବ୍ୟୟ ବରାଦରେ ୩ଟି ପ୍ଲାନେଟୋରିୟମ ନିର୍ମାଣ ହେବ ବୋଲି କହିଥିଲେ। ହେଲେ ଜମି ଚିହ୍ନଟ ହେବାକୁ ପ୍ରାୟ ସାଢ଼େ ୪ ବିତି ସାରିଥିଲେ ମଧ୍ୟ ଚିହ୍ନଟ ସ୍ଥଳରେ ମୁଠାଏ ବାଲି ଓ ଖଣ୍ଡିଏ ଇଟା ପଡ଼ିପାରି ନ ଥିଲା। ତେବେ ମନ୍ତ୍ରୀ ଶ୍ରୀପଣ୍ଡା ଆସନ୍ତା ଜାନୁଆରୀ ୧୬ ପୂର୍ବାହ୍ନରେ ଦେବେନ୍ଦ୍ରପୁରଠାରେ ପ୍ଲାନେଟୋରିୟମ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜମି ପରିଦର୍ଶନରେ ଆସୁଥିବାରୁ ପ୍ଲାନେଟୋରିୟମର ନିର୍ମାଣ ଆଶା ପୁର୍ନଜୀବିତ ହୋଇଛି।