ପରୀ ହତ୍ୟା ମାମଲାରେ ଜଣେ ଗିରଫ, ଆଜି ପୋକ୍ସୋ କୋର୍ଟରେ ହାଜର କରିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ମାମଲାରେ ଏସଆଇଟି ଜଣଙ୍କୁ ଗିରଫ କରିଛି। ଆଇପିସିର ଧାରା ୩୭୬-ଏ (ଦୁଷ୍କର୍ମ), ୩୭୬-ଏବି (୧୨ ବର୍ଷରୁ କମ୍ ବୟସ୍କ ନାବାଳିକା ସହ ଦୁଷ୍କର୍ମ), ୩୬୪ (ଅପହରଣ), ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ସହ ପକ୍ସୋ ଆଇନର ଧାରା-୬ରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ଆଜି ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବ। ଏହି ବ୍ୟକ୍ତି ଜଣଙ୍କ ନୟାଗଡ଼ ଯଦୁପୁର ଗାଁର ହୋଇଥିବା ବେଳେ ତାଙ୍କ ନାମ ଜଣାପଡ଼ିନାହିଁ।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର କୁନି ଝିଅ ପରୀ ନିଖୋଜ ହୋଇଥିଲା। ଘର ଲୋକ ଖୋଜାଖୋଜି କରିବା ସତ୍ତ୍ଵେ କୌଣସି ସନ୍ଧାନ ମିଳିନଥିଲା। ଫଳରେ ଏନେଇ ପରୀର ଘରଲୋକେ ଥାନାରେ ଏତଲା ଦେଇଥିଲା। ଏହାପରେ ଜୁଲାଇ ୨୩ ତାରିଖରେ କୁନି ଝିଅ ପରୀର ମୃତଦେହ ଘର ପଛପଟୁ ଉଦ୍ଧାର ହୋଇଥିଲା। ତେବେ ପରୀକୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ତାତି ବଢ଼ିବା ସହିତ ଏହି ଘଟଣାକୁ ନେଇ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରା ଓ ଧାରଣା ଦିଆଯାଇଥିଲା। ଏପରିକି ଏହି ମାମଲାକୁ ନେଇ ବିଧାନସଭାରେ ମଧ୍ୟ ତାତି ବଢ଼ିଥିଲା। ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଭାର ଏସଆଇଟିକୁ ଦେଇଥିଲେ।