ସ୍ୱାମୀଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ -ସୁଜାତା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।  କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି । ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ତାଙ୍କ ସ୍ୱାମୀଙ୍କୁ କିଛି ଲୋକ କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି, ଯଦି ତାଙ୍କର କିଛି ହୁଏ ସେଥିପାଇଁ ସେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଛନ୍ତି ।

ସୁଜାତାଙ୍କ ଅଭିଯୋଗ ଅନୁସାରେ ଗୁରୁବାର ତାଙ୍କ ସ୍ୱାମୀ ନିଜ ବାସଭବନରେ ଥିଲେ। ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇ ଦେଇଥିଲେ। ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ ଆଣି ଆସି ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କହି ତାଙ୍କ ସ୍ୱାମୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଛନ୍ତି। ମୋ’ ସ୍ୱାମୀର କିଛି ଘଟିଲେ ସମସ୍ତଙ୍କୁ କାଠଗଡ଼ା ମଧ୍ୟକୁ ଟାଣିବି। ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ସୂଜାତା ପାଣିଗ୍ରାହୀ କହିଛନ୍ତି।