ସମ୍ବଲପୁର,ଏନ୍ଏନ୍ଏସ୍: ସମଗ୍ର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ମଙ୍ଗଳବାର ନୂଆଁଖାଇର ମାହୋଲ ଦେଖିବାକୁ ମିଳିଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ପାଟଣେଶ୍ୱରୀ, ସୁରେଶ୍ୱରୀଙ୍କଠାରେ ନବାନ୍ନ ଲାଗିହୋଇଛି। ଏଥିସହ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଛନ୍ତି। ଦେବୀ ସମଲେଶ୍ୱରୀଙ୍କ ମୁଖ୍ୟପୀଠ ସମ୍ବଲପୁର ସମଲେଈଗୁଡିରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି ହୋଇଥିଲା।
ପରମ୍ପରା ଅନୁଯାୟୀ ଝାଡୁଆପଡ଼ାର ବେହେରା ପରିବାରଙ୍କ ନୂଆଁଖାଇ ଭାର ମଧ୍ୟ ପହଞ୍ଚିଥିଲା। ପୂର୍ବାହ୍ଣରେ ଶଙ୍ଖଧ୍ୱନି ସହ ଦେବୀଙ୍କ ଠାରେ ନବାନ୍ନ ଅର୍ପଣ ବିଧି ଆରମ୍ଭ ହୋଇଥିଲା। ଘଣ୍ଟ, ଶଙ୍ଖ ଓ ପଞ୍ଚବାଦ୍ୟ ମଧ୍ୟରେ ଦେବୀଙ୍କଠାରେ ପୂଜକମାନେ ନୂଆଧାନରେ ପ୍ରସ୍ତୁତ ଖିରି, ପିଠାପଣା ଲାଗି କରିଥିଲେ।
