ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଛି। ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ୍ ଆଗତ କରିବେ। କରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଛି। ମହାମାରୀ ପରେ ଅର୍ଥନୀତିରେ କିଭଳି ସୁଧାର ଆସିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ମହାମାରୀକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରକୁ ଅତିରିକ୍ତ ବଜେଟରେ ଗୁରୁତ୍ୱ ଦିଆଯାଇଛି। ବଜେଟ୍ ଖର୍ଚ୍ଚଦାବି ଆଲୋଚନା ପରେ ୨୯ ତାରିଖରେ ଅତିରିକ୍ତ ବଜେଟ୍ ଗୃହୀତ ହେବ। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୮,୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ଅତିରିକ୍ତ ବଜେଟ୍ ପରେ ରାଜ୍ୟ ବଜେଟ୍ ଆକାର ୧ ଲକ୍ଷ ୪୭ ହଜାର କୋଟିକୁ ବୃଦ୍ଧି ପାଇଥିଲା।