ଭୁବନେଶ୍ୱର, ଏନ୍ଏନ୍ଏସ୍: ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୭ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ହେବ। କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନପୂର୍ବକ ଭର୍ଚୁଆଲ୍ ଓ ଡିଜିଟାଲ୍ ମାଧ୍ୟମରେ ଏହା ପାଳନ କରାଯିବ। ଏହି ଅବସରରେ କୋଭିଡ୍ ଭଳି ଏକ ଅସ୍ୱାଭାବିକ ସ୍ଥିତିରେ କୃଷି ଓ କୃଷକଙ୍କୁ ସମବାୟ ସଂସ୍ଥା ଯୋଗାଇ ଦେଇଥିବା ସେବାର ସଫଳ କାହାଣୀ ଓ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟକ୍ରମର ବାର୍ତ୍ତାକୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ରାଜ୍ୟରେ ସମବାୟ ସପ୍ତାହ ପାଳନ ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇ ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନଭେମ୍ବର ୧୯ ତାରିଖରେ ଏକୱେବିନାରର ଆୟୋଜନ କରାଯିବ। ଏହା ପୂର୍ବରୁ ୧୯ଟି ଏଆରସିଏସ୍ସ୍ତରରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁରଠାରେ ଆଞ୍ଚଳିକସ୍ତରରେ ମଧ୍ୟ ୱେବିନାର ମାଧ୍ୟମରେ ଆଲୋଚନାଚକ୍ରର ଆୟୋଜନ କରାଯିବ। ଚଳିତ ବର୍ଷ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ୱେବିନାରର ବିଷୟବସ୍ତୁ କୋଭିଡ୍ ମହାମାରୀ ଓ ସମବାୟ ରଖାଯାଇଛି। କୃଷି ଓ କୃଷକଙ୍କ ବିକାଶ ସହିତ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ସମବାୟର ଆଭିମୁଖ୍ୟ ସଂପର୍କରେ ଲୋକଙ୍କୁ ଜଣାଇ ଅଧିକରୁ ଅଧିକ ଲୋକଙ୍କୁ ସମବାୟ ପରିସର ମଧ୍ୟକୁ ଆଣିବା ନିମେ; ବ୍ୟାପକ ଜନ ସଚେତନତା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ସମବାୟ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳରେ ଧାନ କିଣା, ଚାଷୀଙ୍କୁ ଅଧିକ ଫସଲ ଋଣ ପ୍ରଦାନ ଆଦିରେ ହାସଲ କରିଥିବା ସଫଳତାର ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରଚାରପ୍ରସାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସମବାୟ ଭବନ ସମେତ ସମସ୍ତ ସହର ଓ ପୁରପଲ୍ଲୀରେ ଥିବା ପ୍ରତ୍ୟେକ ସମବାୟ ସଂସ୍ଥାରେ ୧୪ ତାରିଖ ପୂର୍ବାହ୍ନରେ ସମବାୟ ପତାକା ଉତ୍ତୋଳନ କରାଯିବ। ସମବାୟ ସପ୍ତାହ ପାଳନ ଉପଲକ୍ଷେ ପ୍ରକାଶ ପାଉଥିବା ସ୍ମରଣିକା ଓ ସମବାୟ ମାର୍ଗଦର୍ଶିକାକୁ ଡିଜିଟାଲ୍ ମାଧ୍ୟମରେ କରାଯାଇ ଏହାର କପି ସମସ୍ତଙ୍କ ନିକଟକୁ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଭର୍ଚୁଆଲ୍ ବୈଠକରେ ସମବାୟ ବିଭାଗର ବରିଷ୍ଠ ଅଧିକାରୀ, ନିବନ୍ଧକ, ସମବାୟ ସମିତି ସମୂହ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଏଆରସିଏସ୍, ଡିଆରସିଏସ୍ ଏବଂ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର କର୍ମକର୍ତ୍ତା, ବିଭିନ୍ନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଇଫକୋର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।