ହାତୀ ଭୟରେ ଭାରସାମ୍ୟ ହରାଇଲେ ବାଇକ୍ ଆରୋହୀ, ଦୁର୍ଘଟଣାରେ ମୃତ୍ୟୁ

କେନ୍ଦୁଝରଗଡ, ୧ା୯/ଏନ୍ଏନ୍ଏସ୍ : ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ହାତୀପଲଙ୍କ ସହ ସାମ୍ନାସାମ୍ନି ହେବାରୁ ଭୟରେ ଦ୍ରୁତଗତିରେ ବାଇକ୍ ନେବାବେଳେ ଦୂର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ହେଲେ ସଦର ରେଞ୍ଜ ପୋଟଳ ଗ୍ରାମର ନଟବର ଦାସ। ଖବରପାଇ ଗ୍ରାମବାସୀ ତାଙ୍କୁ କେନ୍ଦୁଝର ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ସଦର ଥାନା ପୋଟଳ ଗ୍ରାମର ନଟବର ଦାସ ଶନିବାର ରାତିରେ ଏକ ବାଇକ୍ ଯୋଗେ ନିଜ ଘରକୁ ଯାଉଥିବା ସମୟରେ ଗାଁ ଜଙ୍ଗଲ ରାସ୍ତାରେ ୯ ଟିକିଆ ବଣୁଆ ହାତୀ ପଲଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲେ। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଦ୍ରୁତଗତିରେ ବାଇକ୍ ନେଇ ପଳାଉଥିବାବେଳେ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନଟବରଙ୍କ ମୃତ୍ୟୁ ହୋଇଯାଇଥିଲା। ଏସମ୍ପର୍କରେ ଖବରପାଇ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ନଟବରଙ୍କୁ ମୃତ ଘୋଷଣା କରିଥିଲେ। ନଟବରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗାଁ ନିକଟସ୍ଥ ଜଙ୍ଗଲରେ ହାତୀପଲ ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।