ବିଧାନସଭା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ଆଗତ ହେଲା ୭ ବିଲ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମଙ୍ଗଳବାର ବିଧାନସଭା ମୌସୁମୀ ଅଧିବେଶନର ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଗୃହରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ବିଧାୟକମାନଙ୍କ ପାଇଁ କୋଭିଡ କଟକଣା ଏବଂ ସାମାଜିକ ଦୂରତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଗୃହରେ ଅନୁପସ୍ଥିତ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଦିନ ୧୧ଟାରେ ଆରମ୍ଭ ହୋଇ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ୧୧ଟା ୫୮ ମିନିଟରେ ମୁଲତବୀ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଅପରାହ୍ନ ୩ଟାରୁ ୪ଟା ୫୦ ଯାଏଁ ଚାଲିଥିଲା ।

ମଙ୍ଗଳବାର ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତଃ ଡ. ପ୍ରଣବ ମୁଖାର୍ଜୀଙ୍କ ସମେତ ୧୩ ଜଣ ରାଜନେତା ଭାରତୀୟ ସେନାବାହିନୀ ଓ ପୁଲିସ ସେବାରେ କାର୍ଯ୍ୟରତ ୫ ଜଣ ସହିଦ ଯବାନ ଏବଂ ରାଜ୍ୟରେ କରୋନା ମୁକାବିଲାରେ ମୃତ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଷୋଡ଼ଶ ବିଧାନସଭାର ସଦସ୍ୟ ମଦନ ମୋହନ ଦତ୍ତ, ବିଷ୍ଣୁଚରଣ ଦାସଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର, ସହରାଇ ଓରାମ, ସନାତନ ବିଶି, ଶେକ୍ ମତଲୁବ୍ ଅଲ୍ଲୀ, ପୂର୍ବତନ ସଦସ୍ୟ ଅର୍ଜୁନ ଚରଣ ସେଠୀ, ନେଲସନ ସୋରେଙ୍ଗ, ରାମମୂର୍ତ୍ତି ମୁଟିକା, ରବିନ୍ଦ୍ରନାଥ ଭୋଇ, ଅଭିମନ୍ୟୁ କୁମାର, ଭାରତୀୟ ସେନାବାହିନୀର ଚିନ୍ତାମଣି ଜେନା, ନୁତୁରାମ ସୋରେନ, ଓଡ଼ିଶା ପୁଲିସର ସୁଧିର ଟୁଡୁ, ଦେବାଶିଷ ସେଠୀ ଓ ବନୱାସୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିବା ସହ ସେମାନଙ୍କର ସ୍ମୃତି ଚାରଣ କରିଥିଲେ । ପରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଗୃହର କୌଣସି ଆସୀନ ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସେହିଦିନର ଗୃହକାର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥାଏ । ତେବେ କୋଭିଡ ପରିସ୍ଥିତି ଯୋଗୁଁ ଗୃହକାର୍ଯ୍ୟକୁ କାଣ୍ଟଛାଣ୍ଟକୁ କରାଯାଇଥିବାରୁ ଅପରାହ୍ନ ୩ଟା ଯାଏ ମୁଲତବୀ କରାଗଲା । ତେବେ ଗୃହକାର୍ଯ୍ୟରେ ଏପରି ବ୍ୟତିକ୍ରମ ଆଗାମୀ ଦିନରେ ପରମ୍ପରା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ବାଚସ୍ପତି କହିଥିଲେ ।

ଅପରାହ୍ନ ୩ଟାରେ ଦ୍ୱିତୀୟାର୍ଦ୍ଧରେ ଗୃହରେ ୭ଟି ବିଲ୍ ଉପସ୍ଥାପିତ ହୋଇଥିଲା । ସଂକ୍ରାମକ ରୋଗ(ଓଡ଼ିଶା ସଂଶୋଧନ) ବିଲ୍‌, ୨୦୨୦, ନ୍ୟାୟଳୟ ଫିସ୍‌(ଓଡ଼ିଶା ସଂଶୋଧନ) ବିଲ୍‌, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌, ଶିଳ୍ପ ବିବାଦ(ଓଡ଼ିଶା ସଂଶୋଧନ) ବିଲ୍‌, ଓଡ଼ିଶା ପୌର ବିଧି ସଂଶୋଧନ ବିଲ୍‌, ଓଡ଼ିଶା ଦ୍ରବ୍ୟ ଏବଂ ସେବାକର(ସଂଶୋଧନ) ବିଲ୍ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ, (ସଂଶୋଧନ) ବିଧେୟକକୁ ବିଭାଗୀୟ ମନ୍ତ୍ରୀମାନେ ଆଗତ କରିଥିଲେ । ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ, (ସଂଶୋଧନ) ବିଲ, ୨୦୨୦କୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ହୋ ହାଲ୍ଲା ମଧ୍ୟରେ ବିଲ୍‌ଟି ଗୃହରେ ଉପସ୍ଥାପିତ ହୋଇଥିବା ବେଳେ ୪ଟା ୫୦ରେ ଗୃହକାର୍ଯ୍ୟକୁ ମୁଲତବୀ କରାଯାଇଥିଲା । ସୂଚନାଯୋଗ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇଥିବା ବେଳେ ଗୃହକୁ ଆସିପାରିନଥିବା ବିଧାୟକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।