ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଓ ତିର୍ତ୍ତୋଳ ଉପନିର୍ବାଚନ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୯ରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ହେବ। ଅକ୍ଟୋବର ୧୭ରେ ଯାଞ୍ଚ ଓ ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଆଉ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ। ଉପନିର୍ବାଚନ ନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ବିଜେଡ଼ି ପକ୍ଷରୁ ତିର୍ତ୍ତୋଳ ଦାୟିତ୍ୱ ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି, ସଞ୍ଜୟ ଦାସବର୍ମା, ରଘୁନନ୍ଦନ ଦାସଙ୍କୁ ଦିଆଯାଇଛି। ବାଲେଶ୍ୱରରେ ପ୍ରତାପ ଦେବ, ଦେବୀ ମିଶ୍ର, ପ୍ରତାପ ଜେନା ଦାୟିତ୍ୱ ସମ୍ଭାଳିବେ। ବିଜେପି ପକ୍ଷରୁ ବାଲେଶ୍ୱରରୁ ଗୋଲକ ମହାପାତ୍ର ଓ ତିର୍ତ୍ତୋଳରୁ ପୃଥ୍ୱୀରାଜ ହରିଚନ୍ଦନ ଦାୟିତ୍ୱରେ ରହିବେ। ସେହିପରି କଂଗ୍ରେସ ପକ୍ଷରୁ ସୁରେଶ ରାଉତରାୟ ତିର୍ତ୍ତୋଳରୁ ଓ ତାରାବାହିନୀ ପତି ବାଲେଶ୍ୱରରୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି।