ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ପରିଚାଳନାକୁ ନେଇ ଶାସକ ଦଳ ବିଧାୟକ ଉମା ସାମନ୍ତରାୟ ବିରୋଧୀ ଆଣିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏଥିସହ ସେ ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ପରିମାଣରେ ରୋଗୀ ବଢ଼ୁଛନ୍ତି ଆମକୁ ଆଜିର ଦିନରେ ଆଉ ଅଧିକ ଆଇସିୟୁ ବେଡ଼ ଦରକାର। ଆମେ ବିଧାନସଭାରେ ବି ଏକଥା ଆଲୋଚନା କରିବୁ। ସେହିପରି ଯେଉଁ ରୋଗୀମାନଙ୍କୁ କୋଭିଡ ହୋଇ ନାହିଁ ସେମାନେ ବି ମେଡିକାଲ ଗଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ, ଏହାସହ ଆଗରୁ ଥିବା ଓଏସଟିଏଫ ଫଣ୍ଡ ଏବଂ ବିଏସକେୱାଇ କାର୍ଡରେ ବହୁତ ତାରତମ୍ୟ ରହୁଛି। ଆପୋଲ ଓ ଆମରି ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ସହବନ୍ଧିତ ହୋଇନାହାନ୍ତି। ଆଇସିୟୁ ଅଧିକ ହେଲେ ଲୋକ କେହି ଚିକିତ୍ସା ସେବାରୁ ବଞ୍ଚିତ ହେବେ ନାହିିଁ।
ସେପଟେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ଖୋଦ ଶାସକ ଦଳ ନେତା ସ୍ୱୀକାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ କହିଛନ୍ତି ଯେ, ଲୋକେ ଟୋଟାଲ ସେବା ପାଉ ନାହାନ୍ତି। କୋଭିଡ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ବି ମିଳୁନି। କୋଭିଡ ଦୁର୍ନୀତି ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି। ସରକାର ପୂର୍ବରୁ ଜୋର ଜବରଦସ୍ତ ଲୋକଙ୍କୁ ନେଇ ଯାଉଥିଲା ଏବେ କିନ୍ତୁ ଲୁଚାଉଛନ୍ତି। ସରକାର ଏବେ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପଞ୍ଚାୟତ ସ୍ତରରେ ଅଧିକ ଅବ୍ୟବସ୍ଥା ହୋଇଥିଲା। ଘରୋଇ ହସ୍ପିଟାଲ ଲୋକଙ୍କୁ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦ ହଜାର ଟଙ୍କାର ବିଲ କେଉଁ ଲୋକ ଦେଇ ପାରିବ। ଏଥି ସହିତ ସେ କହିଛନ୍ତି ଯେ, ସରକାର ଜାଣିଶୁଣି ଏପରି ତ୍ରୁଟି କରୁଛନ୍ତି। ଏବେ ସରକାରଙ୍କ ୫ଟି କୁଆଡେ ଗଲା। ମୁଁ ବିଧାନସଭାରେ କହିଥିଲି ୫ଟି ୫ ଟାଉଟର ଆଜି ସେଇଟା ସତ ପ୍ରମାଣିତ ହୋଇଗଲା।