ଅନ୍ୟ ରାଷ୍ଟ୍ରଙ୍କୁ ଖୁସି କରିବ ନୂଆ କୃଷି ଆଇନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅନ୍ତର୍ଜାତୀୟ ଚାପ ଯୋଗୁଁ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ଚାଷୀଙ୍କ ସ୍ୱାର୍ଥ ପରିପନ୍ଥୀ କାର୍ଯ୍ୟ କରୁଛନ୍ତି । ସଂସଦରେ କୃଷି ବିଲ୍ ପାରିତ ହେବା ଦ୍ୱାରା ଦେଶ, ବିଦେଶର ବଡ଼ ବଡ଼ କର୍ପୋରେଟ ସଂସ୍ଥା ଏବଂ ବେପାରୀ ଲାଭାନ୍ୱିତ ହେବାକୁ ଥିବା ବେଳେ ଦେଶର ଚାଷୀକୁଳ କ୍ଷତି ସହିବେ । ଚାଷୀ ସ୍ୱାର୍ଥ ବିରୋଧୀ ଆଇନ୍‌କୁ ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ୱାହି ଦେଇ କିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ମୋଦୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହାକୁ କଂଗ୍ରେସ ଆଦୌ ବରଦାସ୍ତ କରିବ ନାହିଁ । ସ୍ୱାଧୀନତା ପରଠାରୁ ଦେଶର ସାଧାରଣ ଚାଷୀଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍ ଦେବା ପାଇଁ କାମ କରି ଆସିଥିବା ବେଳେ ବର୍ତ୍ତମାନର କୃଷକ ବିରୋଧୀ ଆଇନକୁ ସରକାର ଫେରସ୍ତ ନନେଲେ ସଂସଦରୁ ସଡ଼କ ଯାଏ ପ୍ରତିବାଦ କରାଯିବ । କିଛି ଏମିତି ଶାଣିତ ସ୍ୱରରେ କୃଷି ବିଲ୍ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିବା ବେଳେ ଏହି ଆଇନ କୃଷକ ସମାଜର ସ୍ୱାର୍ଥ ବିରୋଧୀ ବୋଲି ଅବିହିତ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ।

ଗୁରୁବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀ ସର୍ବପ୍ରଥମେ କଷ୍ଟ୍ ସପୋର୍ଟ ପ୍ରାଇସ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ମିନିମମ୍ ସପୋର୍ଟ ପ୍ରାଇସ୍ (ସର୍ବନିମ୍ନ ସହାୟକ ମୂଲ୍ୟ) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ମାତ୍ର ୨୦୧୪ ମସିହା ପରଠାରୁ କେନ୍ଦ୍ରରେ ମୋଦୀ ସରକାର କ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧୀ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶ୍ରୟ ଦିଆଯାଇନଥିଲା । ଉତ୍ପାଦନ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ସବ୍‌ସିଡ୍ ନଦେବା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନରେ ଥିବା ବ୍ୟବସ୍ଥାକୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେ ଗ୍ରହଣ କରିନଥିଲେ ।

ମାତ୍ର ବର୍ତ୍ତମାନର ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନମିଳିବା ସ୍ଥଳେ ବ୍ୟବସାୟୀ ବା କ୍ରେତାଙ୍କ ବିରୋଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଏହି ଆଇନ୍‌ର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାରୀ ଜାହିର କରିବାର ସୁଯୋଗ ପାଇବେ । ଘରୋଇ କମ୍ପାନୀଗୁଡ଼ିକ ନିଜେ ମଣ୍ଡି ଖୋଲିବାର ସୁଯୋଗ ପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣ ନରହିବା ହେତୁ ଚାଷୀ ଶୋଷଣର ଶିକାର ହେବେ ବୋଲି ସେ ଅଭିଯୋଗ କରିଛନ୍ତି । ଚୁକ୍ତିଭିତ୍ତିକ ଚାଷରେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀଗୁଡ଼ିକ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ପ୍ରତାରଣାର ଶିକାର ହୋଇଥିବା ଚାଷୀଟି କମ୍ପାନୀ ବିରୋଧରେ ସିଧାସଳଖ ନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ । ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରହିଛି । ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ପଡ଼ିବ ।

ଯାହା ଏକ ଲମ୍ବା ଏବଂ ଜଟିଳ ପ୍ରକ୍ରିୟା । ପୂର୍ବରୁ ଥିବା ଏପିଏମ୍‌ସି ଆକ୍ଟ ବା ମଣ୍ଡି ଆଇନ୍ ବର୍ତ୍ତମାନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ଚାଷୀକୁଳର ସର୍ବନାଶ କରିବ ବୋଲି ସେ କହିଛନ୍ତି । ଅତ୍ୟାବଶ୍ୟକ ଆଇନ୍‌ର ସଂଶୋଧନ ଫଳରେ ବେଆଇନ୍ ମହଜୁଦକାରୀଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ, ତାହାର ପ୍ରମୁଖ କାରଣ ହେଉଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀକୁ ମହଜୁଦ କରି ରଖିବାର ନିର୍ଦ୍ଧାରିତ ସୀମାକୁ ସରକାର ଉଚ୍ଛେଦ କରିଛନ୍ତି । ପରୋକ୍ଷରେ ଏହା କଳାବଜାରୀ ଏବଂ ବେଆଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିବ । ସେହିପରି ଚାଷୀ ବିଲ୍‌କୁ ଲୋକସଭାରେ ବିଜେଡିର ସମର୍ଥନ ନେଇ କଟୁ ସମାଲୋଚନା କରି କହିଥିଲେ ଯେ ଉଭୟ ବିଜେପି ଓ ବିଜେଡି ଭିତରେ ଗୁପ୍ତ ବୁଝାମଣା ରହିଛି ଏବଂ ଦୁଇଟିଯାକ ଦଳ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ଉଦାହରଣ ଦେଇ ଏହି ବିଲ୍‌କୁ ଚାଷୀ ସ୍ୱାର୍ଥ ବିରୋଧ ଦର୍ଶାଇ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।