ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ମାନ୍ୟବର ଇସ୍ପାତ ଓ ଖଣି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ୍ ବ୍ଲକ୍ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି। ଏସବୁରେ ମୋଟ ୧୦,୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି।
କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨୯ ବିଡ୍ ଦାଖଲର ଶେଷ ତାରିଖ ରହିଥିବାବେଳେ ୨୦୨୦ ଅକ୍ଟୋବାର ୧୯ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା। ବର୍ତ୍ତମାନ କୋଭିଡ୍ ମହାମାରୀ ସମୟରେ ଖଣିଜ କାରବାର ବେଶ୍ ପ୍ରଭାବିତ ହୋଇଛି। ଏଥି ସହିତ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି। ଯଦି ଏହି ପରିସ୍ଥିତିରେ ନିଲାମ କରାଯାଏ ତେବେ ସର୍ବାଧିକ ନିଲାମ ଡକାଯିବାର ଆଶଙ୍କା କମ ରହିଛି। ଏହି ଲିଜ୍ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଏଥି ସହିତ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି। ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଆବଶ୍ୟକ ନିର୍ଦ୍ଦେଶ ତୁରନ୍ତ ଦେବାକୁ ଲେଖିଛନ୍ତି। କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିଲେ ଓ ଉପଯୁକ୍ତ ବଜାର ଅନୁକୂଳ ପରିସ୍ଥିତି ସୁଧୁରିଲେ ନିଲାମ ପ୍ରକ୍ରିୟାକୁ ଆରମ୍ଭ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି।