ଆଜି ରାଜ୍ୟରେ ପୁଣି ୩,୭୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁଣି ଓଡ଼ିଶାରେ ୩,୭୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୨୧୦ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧,୫୩୮ ଜଣ ସ୍ଥାନୀୟ ସଂକ୍ରମିତ। ସେହିପରି ରାଜ୍ୟରେ ଆଉ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ପ୍ରତିଦିନ ପରି ପୁଣି ଆଜି ମଧ୍ୟ ଖୋର୍ଦ୍ଧାରେ ସର୍ବାଧିକ ୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୯୨, ପୁରୀରୁ ୩୮୭, ବଲାଙ୍ଗିରରୁ ୧୬୩, ସୁନ୍ଦରଗଡ଼ରୁ ୧୫୭, ଯାଜପୁରରୁ ୧୪୦, ସୋନପୁରରୁ ୧୨୪, ନବରଙ୍ଗପୁରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୬, ନୂଆପଡ଼ାରୁ ୧୦୭, ବାଲେଶ୍ୱରରରୁ ୧୦୩, କୋରାପୁଟରୁ ୯୭, ଜଗତସିଂହପୁରରୁ ୯୪, ବରଗଡ଼ରୁ ୯୨, କନ୍ଧମାଳରୁ ୮୫, ରାୟଗଡ଼ାରୁ ୮୨, ସମ୍ବଲପୁରରୁ ୭୯, ଗଞ୍ଜାମରୁ ୭୧, ଝାରସୁଗୁଡ଼ାରୁ ୭୦, ନୟାଗଡ଼ରୁ ୬୯, ଢ଼େଙ୍କାନାଳରୁ ୬୫, କେନ୍ଦୁଝରରୁ ୬୩, ବୌଦ୍ଧରୁ ୫୮, ଅନୁଗୁଳରୁ ୫୭, ଭଦ୍ରକରୁ ୪୬, କଳାହାଣ୍ଡିରୁ ୩୮, ଗଜପତିରୁ ୩୩, ଦେବଗଡ଼ରୁ ୨୪, ମାଲକାନଗିରିରୁ ୨୧ ଓ ମୟୂରଭଞ୍ଜରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଜିଲ୍ଲାର ଲୋକେ ଆଉ ଗୋଟିଏ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସଂଖ୍ୟା ୧୭୬ ବୋଲି ଜଣାପଡ଼ିଛି।

ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୫,୧୩୦ରେ ପହଞ୍ଚିଛି। ସେଥିରୁ ୧,୦୨,୧୮୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୨,୩୧୨ ଜଣ ସକ୍ରିୟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ଆଜି ଆଉ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪ ଜଣ, କୋରାପୁଟ ଜିଲ୍ଲାର ୩ ଜଣ ଓ ପୁରୀ, ବଲାଙ୍ଗିର, କନ୍ଧମାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି।