ବିଜେଡି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀର ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ ଓ ସମର୍ପଣ ମନୋଭାବ ସହ ଦିନ ରାତି ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ପୁଲିସ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି। କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ପରେ କୋଭିଡ୍ ନିୟମାବଳୀ ଅନୁପାଳନ, କୋଭିଡ୍ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ନେଇ ସମସ୍ତେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତ ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମେଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ଭାରତୀ ସିଂ, ସଞ୍ଜୁକ୍ତା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ, ମଳୟ ପତି, ଧୃତି ମାର୍ଥା ,ସୁନୀଲ ନାୟକ, ତାରିଣୀ ନାୟକଙ୍କ ସହ ଛାତ୍ର ବିଜେଡିର ମନୋଜ ସେନାପତି, ସୁଜିତ ପାଲଟାସିଂହ, ପ୍ରମୋଦ ପାତ୍ର, ଧର୍ମେନ୍ଦ୍ର ଧଳ, ସଂଜୟ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିଥିଲେ।