କ୍ରାନ୍ତି ଦିବସରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, ଏନ୍ଏନ୍ଏସ୍: କ୍ରାନ୍ତି ଦିବସରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆରମ୍ଭ ହେବ। ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଏବଂ ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ଓଡ଼ିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯିବ। କୋଭିଡ୍ ନିୟମ ସହ ୭ ଦିନ ଧରି ଏହି ଅଭିଯାନ ଚାଲିବ। ରାଜ୍ୟରେ ପାଖାପାଖି ୨ ଲକ୍ଷ ୟୁନିଟ ରକ୍ତ ସଂଗୃହୀତ ହେଉଥିବା ବେଳେ କରୋନା ପାଇଁ ରକ୍ତଭଣ୍ଡାରରେ ସଂକଟ ଦେଖାଦେଇଛି । ପ୍ରତି ଜିଲ୍ଲାର ବିଧାୟକ, ସାଂସଦ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସଂଗଠନଙ୍କୁ ସପ୍ତାହବ୍ୟାପୀ ଚାଲିବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବାକୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଆହ୍ୱାନ ଦିଆଯାଇଛି।