କରୋନାରେ ଗଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି।

ତେବେ ଏହି ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଗଜପତି ଜିଲ୍ଲାର ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ଗଞ୍ଜାମର ୩ ଜଣଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ମହିଳା, ଜଣେ ୬୧ ବର୍ଷୀୟ ବୃଦ୍ଧ ଓ ଜଣେ ୬୦ ବର୍ଷୀୟ ବୃଦ୍ଧ ଥିବାବେଳେ ସେମାନେ ସମସ୍ତେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଛି।

ସେହିପରି ଗଜପତି ଜିଲ୍ଲାର ମୃତକ ଜଣଙ୍କ ୭୨ ବର୍ଷୀୟ ବୃଦ୍ଧ ଏବଂ ପୂର୍ବରୁ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ଧମନୀ ରୋଗରେ ପୀଡ଼ିତ ଥିଲେ। ଏହାକୁ ମିଶାଇ ଗଜପତିରେ ୬ ଜଣଙ୍କ କରୋନାରେ ଜୀବନ ଗଲାଣି। ଅପରପକ୍ଷରେ ଆଜି କନ୍ଧମାଳ ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୮୬ ବର୍ଷୀୟ ବୃଦ୍ଧ ଏବଂ ପୂର୍ବରୁ ସେ ମଧୁମେହ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଥିଲେ।