ରାଜ୍ୟରେ ପୁଣି ରେକର୍ଡ କଲା କରୋନା, ଦିନକରେ ୧୦୭୮ ନୂଆ କରୋନା ସଂକ୍ରମିତ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ରେକର୍ଡ କରିଛି। ପ୍ରତିଦିନ ଅପେକ୍ଷା ଆଜି ସର୍ବାଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଟିଏ ଦିନରେ ରାଜ୍ୟର ୨୮ଟି ଜିଲ୍ଲାରୁ ୧୦୭୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୨୮ଟି ଜିଲ୍ଲା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସର୍ବଧିକ ଭାବେ ଖୋର୍ଦ୍ଧାରୁ ୧୨୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୯୬ ଜଣ, ମାଲକାନଗିରିରୁ ୬୬ ଜଣ, କଟକରୁ ୫୭ ଜଣ, ଜଗତସିଂହପୁରରୁ ୩୫ ଜଣ, ଝାରସୁଗୁଡ଼ାରୁ ୩୪ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ, ପୁରୀରୁ ୨୮ ଜଣ, ବରଗଡ଼ରୁ ୨୬ ଜଣ, କେନ୍ଦ୍ରାପଡ଼ା ଓ ଗଜପତିରୁ ୨୪ ଜଣ ଲେଖାଏଁ, ସମ୍ବଲପୁର ଓ ଯାଜପୁରରୁ ୨୦ ଜଣ ଲେଖାଏଁ, ନବରଙ୍ଗପୁରରୁ ୧୭ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟ ଓ କଳାହାଣ୍ଡିରୁ ୧୫ ଜଣ ଲେଖାଏଁ, ମୟୂରଭଞ୍ଜ ଓ କନ୍ଧମାଳରୁ ୧୩ ଜଣ ଲେଖାଏଁ, ସୋନପୁର ଓ ବାଲେଶ୍ୱରରୁ ୧୦ ଜଣ ଲେଖାଏଁ, ବଲାଙ୍ଗିରରୁ ୬ ଜଣ, ନୟାଗଡ଼ରୁ ୫ ଜଣ, ବୌଦ୍ଧରୁ ୩ ଜଣ, ଢ଼େଙ୍କାନାଳରୁ ୨ ଜଣ ଓ ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୧୦ ହଜାର ୯୨୧ଟି କରୋନା ଟେଷ୍ଟ ହୋଇଛି। ତେବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୩ ହଜାର ୩୦୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬ ହଜାର ୩୮୭ ଜଣ ସକ୍ରିୟ ଥିବା ଜଣାପଡ଼ିଛି।