କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ହୋଇଛି: ନିରଞ୍ଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ପାଣ୍ଠି ଖର୍ଚ୍ଚ ସମ୍ପର୍କରେ ସରକାର ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ସେ ଅଭିଯୋଗ କରିଥିବା ବେଳେ ଏକ ନିରପେକ୍ଷ ଏବଂ ଦକ୍ଷ କମିଟି ଦ୍ୱାରା ଏହାର ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ଦ୍ୱାରା ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ବିଭିନ୍ନ ଭାବରେ ଏହି ଅର୍ଥ ବିନିଯୋଗ କରୁଥିବା କଥା କହିଥିଲେ ମଧ୍ୟ ଜଙ୍ଗଲ ସୌନ୍ଦର୍ଯ୍ୟତା ଏବଂ ସ୍ଥାଣୁତା କ୍ଷୟ ପାଇବାରେ ଲାଗିଛି। ମାତ୍ର ଗତ ୨ର୍ଷ ମଧ୍ୟରେ ରାଜ୍ୟରେ ନୂଆ ୮୮୫ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ସରକାର ତଥ୍ୟକୁ ଅତିରଞ୍ଜିତ କରି ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରିଥିବା ସେ ଅଭିଯୋଗ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଓଡ଼ିଶାକୁ ୫୯୩୮.୯୮ କୋଟି ଟଙ୍କା କାମ୍ପା ପାଣ୍ଠିରେ ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନ ଏହି ପାଣ୍ଠିରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଲାଣି। ଏଣେ ପ୍ରମାଣ ଦେବାକୁ ଯାଇ ସେ କହିଛନ୍ତି ଯେ ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ବ୍ୟାଙ୍କ ବହିକୁ ୧ ଲକ୍ଷ ୧୯ ହଜାର କୋଟି ଟଙ୍କା ଯାଇଥିବା ପରେ ତାହାକୁ ଉଠାଇ ଅଣାଗଲା। ସେହିପରି ପ୍ରଭାତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୨ଲକ୍ଷ ୬୪ ହଜାର କୋଟି ଟଙ୍କା ଓ ମୁନା ମାର୍ଥା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧ ଲକ୍ଷ ୧୯ ହଜାର ଟଙ୍କା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଟଙ୍କା ଉଠାଇ ଅଣାଯାଇଛି।

ଏମାନେ କେହି ଦିନ ମଜୁରିଆ କିମ୍ବା ଲେବର କଣ୍ଟ୍ରାକ୍ଟର ନୁହନ୍ତି। ତାହେଲେ ଏମାନଙ୍କ ଆକାଉଣ୍ଟକୁ କିଏ ଟଙ୍କା ପଠାଇଲା ଏବଂ କାହିଁକି ଉଠାଇନେଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। କାମ୍ପା ପାଣ୍ଠିର ୫ ହଜାର କୋଟି ଟଙ୍କା ଏହିପରି ବେନାମୀ କାରବାର ହୋଇ ବିଭାଗୀୟ ଅଫିସର ଏବଂ ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାକୁଣ୍ଟା ହେଉଛି। ସବୁଠାରୁ ଦୁଃଖ ବିଷୟ ଏହିକି ଯେ କରୋନା ପରି ମହାମାରୀ ସମୟରେ ମୂଲିଆ ମଜଦୁରଙ୍କ ପେଟକାଟି ନେବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଲାଣି। ଜଣପ୍ରତି ମଜୁରୀ ବାବଦରେ ସେମାନଙ୍କୁ ଦିନକୁ ୨୯୮ ଟଙ୍କା ମିଳୁଥିବା ବେଳେ ଏଥିରୁ ଅଧା କାଟି ଉପରକୁ ଦିଆଯିବ ବୋଲି କହୁଛନ୍ତି। ଏହି ଉପରବାଲା କିଏ ଏବଂ ତାଙ୍କ ଭାଗ କେତେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର କାମ୍ପା ଓ ଓଏମ୍ବିଡିସି ପାଣ୍ଠିରୁ ୧୨ ହଜାର କୋଟି ଟଙ୍କା ଋଣ ଆଣିଛନ୍ତି। ମାତ୍ର ସେ ସବୁର ସଠିକ ବିନିଯୋଗ ହିସାବ ନାହିଁ। କାମ୍ପା ଆଇନ, ରାଜ୍ୟ ନିୟମ ଓ ଗାଇଡ୍ଲାଇନକୁ ଭଙ୍ଗ କରାଯାଇଛି। କାମ୍ପା ଗାଇଡ୍ଲାଇନର ଧାରା ୧୩ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଅଧ୍ୟକ୍ଷତାରେ ଗୋଟିଏ ୧୦ ଜଣିଆ କମିଟି ଗଠନ ହେବାର ବ୍ୟବସ୍ଥା ଅଛି। ଏହି ଗଭର୍ଣ୍ଣିିଂ ବଡି ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ଓ ଅନୁମୋଦନ କରିଥାଏ ଏବଂ କାର୍ଯ୍ୟଗୁଡ଼ିକ ଅନୁସନ୍ଧାନ କରିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗଭର୍ଣ୍ଣିଂ ବଡିର ସମ୍ପୂର୍ଣ୍ଣ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସରକାର ସାଧାରଣ ଲୋକଙ୍କୁ ଅବଗତ କରାଇବେକି ବୋଲି ସେ ପ୍ରଶ୍ନ କରିଛନ୍ତି।