ପ୍ରଶାସନିକ ଅଧିକାରୀଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ: ଲୋକଙ୍କୁ ବୁଝାଅ, ସେମାନଙ୍କ ମନକୁ ଜିଣିବାକୁ ଚେଷ୍ଟା କର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଲମ୍ବା ସମୟ ଧରି ଚାଲିପାରେ। ତେଣୁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହି ସମୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ପ୍ରସାରର ସର୍ବାଧିକ ଆବଶ୍ୟକତା ରହିଛି। ତେଣୁ ଦାୟିତ୍ୱରେ ଥିବା ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଯେତେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସଞ୍ଜମତା ରକ୍ଷା କରି ଲୋକଙ୍କୁ ବୁଝାନ୍ତୁ। ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ପୂର୍ଣ୍ଣପ୍ରାଣରେ ଚେଷ୍ଟା କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନାର ପ୍ରକୋପତା ଲମ୍ବା ସମୟ ଧରି ଚାଲିବାକୁ ଥିବା ବେଲେ ସମସ୍ତଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବ୍ୟକତା ରହିଛି । ଓଡ଼ିଆରେ ଏକ ଉକ୍ତି ଅଛି ଖା, ଭୁଞ୍ଜ୍ ଓ ଗିଳ୍ । ଲୋକଙ୍କ ଠାରେ ତିନୋଟି ଶବ୍ଦର ପ୍ରୟୋଗ ତିନି ପ୍ରକାରର ପ୍ରତିକ୍ରିୟା ପରିଲକ୍ଷିତ ହୁଏ। ତେଣୁ କେଉଁ ସମୟରେ କେଉଁ ଶବ୍ଦ ପ୍ରୟୋଗ କରାଯିବ ସେଥିପ୍ରତି ସଚେତନ ହେବା ଦରକାର । ବିଶେଷ ଭାବରେ ଯେଉଁମାନେ ନିୟମ ପାଳନ କରେଇବା ଦାୟିତ୍ୱରେ ଥିବା ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସାମାଜକୁ ବୁଝାଇବା କାମରେ ଲାଗିବାର ଆବଶ୍ୟକତା ରହିଛି। ବ୍ୟବସ୍ଥାରେ ଥିବା ଅଧିକାରୀମାନେ ଲୋକଙ୍କୁ ଏହପରି ଏକ କଠିନ ସମୟରେ ବୁଝାଇବା ସହ ପରାମର୍ଶ ଦେବା ଦରକାର। ଏହା ସେମାନଙ୍କ ପାଇଁ ବଡ଼ ଦାୟିତ୍ୱ ହେବା ଦରକାର। କାରଣ ଥରେ ସମାଜରେ ଅବିଶ୍ୱାସ ଏବଂ ଅସନ୍ତୋଷର ବାତାବରଣ ତିଆରି ହେଲେ ମୂଳ କଥାକୁ ଭୁଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଯେଉଁ ପର୍ଯ୍ୟନ୍ତ କରୋନା ଟିକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର ବୋଲି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁନିସିପାଲଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସହଯୋଗ କରିବା ଦରକାର। ଅତୀତରେ ଓଡ଼ିଆ ଜାତି ବିପତ୍ତି ସମୟରେ ଅସୀମ ସାହାସ ଓ ଧୈର୍ଯ୍ୟ ଦେଖାଇ ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପ୍ରେରଣା ସମସ୍ତଙ୍କ ସାଥୀରେ ରହିଛି । ସଂଯମତା ଓ ଆବେଗର ନୂଆ ରାସ୍ତାର ବଡ଼ ଉଦାହରଣ ହେଲା ଚଳିତବର୍ଷର ରଥଯାତ୍ରା। ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ଦୃଢ ବିଶ୍ୱାସ ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି।