ଓଡ଼ିଶାରେ ଆଉ ୬ ଟି ମୁଣ୍ଡ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନାରେ ମୃତ୍ୟୁ ଘଟିଥିବା ୬ ଜଣ ମୃତକ ମଧ୍ୟରୁ ୪ଜଣ ଗଞ୍ଜାମ ଜିଲ୍ଲାର, ଜଣେ କଟକ ଜିଲ୍ଲାର ଏବଂ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵରର ଥିବା ସୂଚନା। ମୃତକ ସମସ୍ତେ ପୁରୁଷ ଥିବା ଜଣାପଡିଛି। ତେବେ ପ୍ରଥମ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୪୫ ବର୍ଷୀୟ ବ୍ୟକ୍ତି। ହାଇପର ଟେନସନ୍ ଓ ଡାଇବେଟିସ ରେ ପୀଡ଼ିତ ଥିଲେ। ଅନ୍ୟଜଣେ ଭୁବନେଶ୍ୱରର ୬୭ ବର୍ଷୀୟ ବ୍ୟକ୍ତି। ସେ ମଧ୍ୟ କିଡନୀ ରୋଗ, ହାଇପର ଟେନସନ୍ ଓ ଡାଇବେଟିସରେ ଆକ୍ରାନ୍ତ ଥିଲେ। ୩ୟ ମୃତକ ଗଞ୍ଜାମ ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି। ୪ର୍ଥ ମୃତକ କଟକ ଜିଲ୍ଲାର ୪୦ ବର୍ଷୀୟ ବ୍ୟକ୍ତି। ୫ମ ମୃତକ ଗଞ୍ଜାମ ଜିଲ୍ଲାର ଜଣକ ୭୨ ବର୍ଷୀୟ ବୃଦ୍ଧ ବ୍ୟକ୍ତି। କିଡନୀ ରୋଗ, ହୃଦରୋଗ ଓ ଡାଇବେଟିସରେ ଆକ୍ରାନ୍ତ ଥିଲେ ।ଅନ୍ୟଜଣେ ଅର୍ଥାତ୍ ୬ ନମ୍ୱର୍ ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ପୁରୁଷ। ସେ ମଧ୍ୟ ଡାଇବେଟିସରେ ପୀଡିତ ଥିଲେ। କିଛି ଦିନ ତଳେ ଏହି ୬ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଚିକିତ୍ସିତ ଅବସ୍ଥାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଆଜି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ୪ ଜଣଙ୍କ ଶରୀରରେ ଆଗରୁ ଗମ୍ଭୀର ସ୍ଵାସ୍ଥ୍ୟଗତ ସମସ୍ୟା ରହିଥିବା ଜଣାପଡିଛି। ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି।