ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୮ ଟି ପରାମର୍ଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ସମୟରେ ସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ ଖୁସି । ଏହି ପରିପ୍ରେକ୍ଷୀରେ ଦଳର ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ୧୭ ଜଣ ଉପସଭାପତି ଓ ମୁଖ୍ୟାଳୟ ସମ୍ପାଦକଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି । ଏହା ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦଳର ବିଧାୟକମାନଙ୍କୁ ଲୋକଙ୍କ ନିକଟତର ହେବା ଓ କରୋନାକାଳରେ ୮ଟି ପ୍ରମୁଖ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ନିମନ୍ତେ  ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, କରୋନା ଯୋଗୁଁ ମାନବ ଜାତି ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଛି, ଅଭୂତପୂର୍ବ ସଙ୍କଟ ମଧ୍ୟରେ ସମଗ୍ର ମଣିଷ ଜାତି ଗତି କରୁଛି । ମହାପ୍ରଭୁଙ୍କ ଆଶୀର୍ବାଦ, ସାଧାରଣ ଲୋକଙ୍କ ସହଯୋଗ, ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶା ତୁଳନାତ୍ମକ ଭାବରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସୁସ୍ଥ ଅନୁପାତ ଅଧିକ ଓ ମୃତ୍ୟୁ ହାର ଯଥେଷ୍ଟ କମ୍ । ମାତ୍ର ଏତିକିରେ ସନ୍ତୁଷ୍ଟ ହୋଇ ବସିଗଲେ ଚଳିବ ନାହିଁ। ବିଧାୟକଙ୍କୁ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଧ୍ୟାନ ଦେଇ ଲୋକଙ୍କ ସହ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ୮ଟି ପରାମର୍ଶ ହେଲା

୧-ଗହଳି ଏଡ଼ାଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା
୨-ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା
୩-ଦଳର କର୍ମୀମାନେ ଗାଁରେ ଥିବା କୋଭିଡ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ହେବା ଆବଶ୍ୟକ

୪-କରୋନା ବୟସ୍କ ଲୋକଙ୍କ ପାଇଁ ଘାତକ ହୋଇପାରେ; ତେଣୁ ସେମାନଙ୍କର ଯତ୍ନ ନେବାର ଆବଶ୍ୟକତା

୫-ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରି ରକ୍ତଦାନ କାର୍ଯ୍ୟକ୍ରମକୁ ବଜାୟ ରଖିବାର ଆବଶ୍ୟକତା

୬-ଜୀବନଜୀବିକା ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାର ଆବଶ୍ୟକତା

୭-ପ୍ରତି ପଞ୍ଚାୟତରେ କୋଭିଡ ଯତ୍ନ ଗୃହ ନିମନ୍ତେ ଦିଆଯାଉଥିବା ଅର୍ଥର ସୁଚାରୁ ବ୍ୟୟ ପରିଚାଳନା କରିବା

୮- ଲୋକଙ୍କ ମନରେ କୋଭିଡ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଭୟଭୀତ ନ ହୋଇ ସତର୍କ ରହିବାକୁ ବୁଝାଇବା