ଓଏଫ୍ଏସ୍ ପାଇଥିବା ଯୁବକଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ଓଏଫ୍ଏସ୍ ପାଇ ଚାକିରିରେ ଯୋଗଦେବାକୁ ଥିବା ଜଣେ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଯୁବକ ଅଭିଳାଷ ସ୍ୱରୂପ ମହାପାତ୍ର ଆଜି ଭୁବନେଶ୍ୱରରେ ଓଡ଼ିଶା ଫାଇନାନସିଆଲ ସର୍ଭିସ (ଓଏଫ୍ଏସ୍)ରେ ଯୋଗଦେବାକୁ ଥିବାବେଳେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖଣ୍ଡଗିରି ଥାନା ପୁଲିସ ଯୁବକଙ୍କର ମୃତଦେହ ଉଦ୍ଧାର କରିଛି। ପୋଷ୍ଟମୋର୍ଟମ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ତେବେ ଯୁବକଙ୍କର ପରିବାରର ଲୋକେ ତାଙ୍କର ଚାକିରିକୁ ନେଇ ଖୁସି ଥିବା ବେଳେ ସେମାନେ ଏଭଳି ଏକ ଅଭାବନୀୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଅଭିଳାଷ ନିଜ ପତ୍ନୀଙ୍କ ସହିତ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ-୪ରେ ରହୁଥିଲେ।