ଭୁବନେଶ୍ୱର,ଏନ୍ଏନ୍ଏସ୍: ମାହାଙ୍ଗା ନିର୍ବାଚନମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ। ଏନେଇ ଗୁରୁବାର ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ପ୍ରକାଶ ଯେ, ଚଳିତବର୍ଷ ଏମଜିଏନଆରଜିଏସରେ ମାହାଙ୍ଗା ବ୍ଲକରେ ୪ କୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯିବ। ସେହିପରି ଜଳଛାୟା ନିର୍ମାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ମାହାଙ୍ଗା ବ୍ଲକରେ ୫୨ଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୯୬ଟି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି, ସେଗୁଡିକର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷ ପ୍ରତିନିଧି, କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଅକତାର, କଟକ ଓ ଭୁବନେଶ୍ୱର ଡିଏଫଓ, ଦୁଇ ବ୍ଲକର ବିଡିଓ ଏବଂ ରେଞ୍ଜ ଅଫିସରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।