ଉଗାଣ୍ଡା ଯିବେ ଅପରାଜିତା, ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ଆସନ୍ତା ସେପ୍ଟେମ୍ବର ମାସରେ ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ସମ୍ମିଳନୀରେ ଭାରତ ପକ୍ଷରୁ ଯୋଗଦେବାକୁ ଯାଉଥିବା ପ୍ରତିନିଧି ମଣ୍ଡଳୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୨୨ରୁ ୨୯ ତାରିଖ ଯାଏଁ କାମ୍ପାଲାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିଡ଼ଲା ନେତୃତ୍ୱ ନେବାକୁ ଥିବା ବେଳେ ଏଥିରେ ବିଭିନ୍ନ ରାଜ୍ୟର ବାଚସ୍ପତିମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏପରି ଏକ ସମ୍ମାନଜନକ ସମ୍ମିଳନୀରେ ଅପରାଜିତାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ତାଙ୍କ ସମର୍ଥକ ମହଲରେ ଖୁସି ଖେଳିଯାଇଛି ।