୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୬ା୮/ଏନ୍ଏନ୍ଏସ୍: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ଓଡିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ସମେତ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ଉପକୂଳ ଓଡିଶାର ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଅଜୟ କୁମାର ନାୟକ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳ। ତା’ଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା,ବରଗଡ଼, ପୁରୀ, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଓ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଏହି ସମୟରେ ଉପକୂଳବର୍ତୀ ଅଂଚଳରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ୩ ରୁ ୪ ଦିନ ଯାଏ ଏହି ବର୍ଷା ଲାଗି ରହିବ । ତା’ ପରେ ୨୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ଆଂଚଳିକା ପାଣିପାଗ ବିଭାଗ କହୁଛି ।