ମାସ୍କ ଉଲଂଘନକରୀଙ୍କଠାରୁ ଆଦାୟ ହୋଇଛି ୧ କୋଟି ୨୫ ଲକ୍ଷ ଟଙ୍କା: ଅଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଏହାର ମୁକାବିଲା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ପ୍ରସ୍ତୁତ ହୋଇପାରି ନାହିଁ। ଏହି ଭୂତାଣୁ ସଂକ୍ରମଣାତ୍ମକ ହୋଇଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବେଶ ଗୁରୁତ୍ୱପୂର୍ଣ୍ଣ।

ଆମ ରାଜ୍ୟରେ ମଧ୍ୟ ଏହି ଭୂତାଣୁ ବେଶ ସକ୍ରିୟ ହୋଇଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଘରୁ ପଦାକୁ ଆସିଲେ ମାସ୍କ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି। ମାତ୍ର କେତେକ ଅମାନିଆ ଆଜି ବି ଏହି ନିୟମର ଉଲଂଘନ କରି ମୋଟା ଅଙ୍କର ଫାଇନ ଦେଉଥିବା ଦେଖିବାକୁ ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ କରୋନା ସମ୍ପର୍କିତ ଆଲୋଚନା କରୁଥିବା ସମୟରେ ପୁଲିସ ଡିଜି ଅଭୟ କୋଭିଡ ନିୟମ ଉଲଂଘନକାରୀଙ୍କ ଜୋରିମାନା ସମ୍ପର୍କିତ ସୂଚନା ଦେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମାସ୍କ ନ ପିନ୍ଧିବା ଘଟଣାରେ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହିପରି ସାମାଜିକ ଦୂରତା ନିୟମ ଉଲଂଘନକାରୀଙ୍କଠାରୁ ୧୧ ଲକ୍ଷ ୭୪ ହଜାର ଟଙ୍କା ଓ ରାତ୍ରିକାଳୀନ କର୍ଫ୍ୟୁ ଉଲଂଘନକାରୀଙ୍କଠାରୁ ୧ଲକ୍ଷ ୩ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି।