ଭୁବନେଶ୍ୱର,ଏନ୍ଏନ୍ଏସ୍ : ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ରାଜ୍ୟ ସରକାର ରଖିନାହାନ୍ତି। ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମହାପ୍ରଭୁଙ୍କର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ବୁଧବାର ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ‘କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି’ର ଉତ୍ତର ରଖି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ମହାପ୍ରଭୁଙ୍କର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବା ପୂର୍ବରୁ ଶ୍ରାମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା। ଏଥିପାଇଁ କୋଟେସନ୍ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ତେବେ ୨୦୧୯ ମାର୍ଚ୍ଚ ୧୨ତାରିଖରେ ୧୨ଟି ବ୍ୟାଙ୍କ ଶ୍ରୀମନ୍ଦିର ଅର୍ଥ ଜମା ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏବଂ ଏଥିରେ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ବାର୍ଷିକ ସୁଧଦେବାକୁ ରାଜି ହୋଇଥିଲା। ଅଧିକ ସୁଧହାର ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିବାରୁ ମହାପ୍ରଭୁଙ୍କର ଅର୍ଥ ଏହି ବ୍ୟାଙ୍କରେ ଏକ ବର୍ଷ ପାଇଁ ଜମା କରାଯାଇଥିଲା।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୫୪୫କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିଛି। ଏହି ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କକୁ ବଦଳି ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶଙ୍କୁ ୨୦୨୦ ମାର୍ଚ୍ଚ ୭ତାରିଖରେ ନିବେଦନ କରିଛନ୍ତି। ସେହିପରି ଅର୍ଥମନ୍ତ୍ରୀ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମହାପ୍ରଭୁଙ୍କର ଗଚ୍ଛିତ ଅର୍ଥରାଶିକୁ ୟେସ୍ ବ୍ୟାଙ୍କରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କକୁ ଜମାରାଶି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଚିଠିକୁ ଆରବିଆଇ ଗଭର୍ଣ୍ଣର ଏବଂ କେନ୍ଦ୍ର ଅର୍ଥ ସଚିବଙ୍କୁ ପଠାଇ ଦିଆଯାଇଛି।
ସେହିପରି ଶିଳ୍ପ ଉତ୍ପାଦନ, ପୁଞ୍ଜି ନିବେଶ ଓ ବାଣିଜ୍ୟ କାରବାର ପାଇଁ ଦରକାର ହେଉଥିବା ରାଶିର ଉପଲବ୍ଧ କରିବା ଲାଗି ରାଜ୍ୟରେ ଉପସ୍ଥିତ ଥିବା ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟରେ ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ଋଣ ଏକ ପ୍ରମୁଖ ମାଧ୍ୟମ। ଅଗ୍ରାଧିକାର କ୍ଷେତ୍ର ଯଥା କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଶିକ୍ଷା, ଗୃହ ନିର୍ମାଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରେ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ବିଆଇ ସମେତ ସମସ୍ତ ବ୍ୟାଙ୍କଗୁଡ଼ିକ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ। ଏସବୁକୁ ଦୃଷ୍ଟି ଦେଇ ରାଜ୍ୟସରକାର ବ୍ୟାଙ୍କଗୁଡ଼ିକୁ ଅଗ୍ରାଧିକାର କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପ୍ରୋତ୍ସାହନ ଦେବା ଲାଗି ୨୦୧୧-୧୨ରୁ ରାଜ୍ୟ ସରକାର ସାଧାରଣ ଉଦ୍ୟୋଗ ଓ ରାଜ୍ୟସ୍ତରୀୟ ସ୍ୱାୟତ୍ତ ସମିତିଗୁଡ଼ିକର ବ୍ୟବସାୟ ଓ ଜମା କାରବାର ପାଇଁ କିଛି ନିର୍ଦ୍ଧିଷ୍ଟ ବ୍ୟାଙ୍କକୁ ତାଳିକାଭୁକ୍ତ କରାଯାଉଛି। ପ୍ରତିବର୍ଷ ରାଜ୍ୟସରକାର ବିଭିନ୍ନ ମାନଦଣ୍ଡ ଅନୁଯାୟୀ ବ୍ୟାଙ୍କଗୁଡ଼ିକୁ ସୂଚିଭୁକ୍ତ କରାଯାଉଛି।
ବ୍ୟାଙ୍କ ଭାରତୀୟ ସମ୍ବିଧାନର ୨ୟ ଅନୁଚ୍ଛେଦରେ ୟୁନିୟନ ଲିଷ୍ଟ୍ର ୪୫ କ୍ରମିକରେ ଅନ୍ତର୍ଭୁକ୍ତ। ତେଣୁ ବ୍ୟାଙ୍କ ସମ୍ବନ୍ଧୀୟ ସବୁ ବ୍ୟାପାର କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟରେ ନିଷ୍ପତ୍ତି ହୋଇଥାଏ। ଏଥିରେ ରାଜ୍ୟସରକାରଙ୍କର କୌଣସି ଭୂମିକା ନଥାଏ। ତେବେ ୟେସ୍ବ୍ୟାଙ୍କ ଆର୍ବିଆଇ ଆଇନ୍ ୧୯୩୪ ୨ୟ ଅନୁଚ୍ଛେଦ ଅନୁଯାୟୀ ତାଲିକାଭୁକ୍ତ। ବ୍ୟାକିଂ ରେଗୁଲେସନ ଆକ୍ଟ ୧୯୯୪ ଧାରା ୩୫ଅନୁଯାୟୀ, ସମସ୍ତ ବ୍ୟାଙ୍କର କାର୍ଯ୍ୟକଳାପକୁ ଆର୍ବିଆଇ ଦ୍ୱାରା ତଦାରଖ କରାଯାଏ। ଆର୍ବିଆଇ ତରଫରୁ ୨୦୨୦ମାର୍ଚ୍ଚ ୫ତାରିଖ ପୂର୍ବରୁ ୟେସ୍ ବ୍ୟାଙ୍କ ସହିତ ଅର୍ଥ କାରବାର ନକରିବା ପାଇଁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନଥିଲା।
ଅପରପକ୍ଷେ ରାଜ୍ୟ ସରକାର ବିଭିନ୍ନ ସମୟରେ ସରକାରଙ୍କର ବିଭିନ୍ନ ବିଭାଗକୁ ସରକାରୀ ଅର୍ଥକୁ ବିନିଯୋଗ କରିବାରେ ସତର୍କତା ଅବଲମ୍ବନ କରିଥାନ୍ତି। ତେଣୁ ୨୦୧୯ ଅକ୍ଟୋବର୨୧ରେ ଅର୍ଥ ବିଭାଗ ସବୁ ବିଭାଗକୁ ଏଥିପାଇଁ ଚିଠି ଲେଖିଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା ଯେ, ବ୍ୟାଙ୍କରେ ଜମା ରଖିବା ପୂର୍ବରୁ ବ୍ୟାଙ୍କର ଆର୍ôଥକ ସ୍ଥିତିର ଠିକ୍ ଯାଞ୍ଚ କରିବା ଆବଶ୍ୟକ। ମାତ୍ର ଆର୍ବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୨୦୧୯ ଅକ୍ଟୋବର ୨୫ରେ ରାଜ୍ୟ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଥିଲେ ଯେ, ରାଜ୍ୟ ଅର୍ଥ ବିଭାଗର ଏପରି ନିର୍ଦ୍ଦେଶନାମା ଜାରିକରିବା ଉଚିତ୍ ନୁହେଁ। ଆର୍ବିଆଇ ଦେଶର ସବୁ ବ୍ୟାଙ୍କର ଆର୍ôଥକ ବ୍ୟବସ୍ଥା ଉପରେ ତଦାରଖ କରିଥାନ୍ତି।
ମହାପ୍ରଭୁଙ୍କର ଜମା ଟଙ୍କା ସୁରକ୍ଷିତ ରହିଛି। ଖୁବଶୀଘ୍ର ଫେରି ପାଇବ। ରାଜ୍ୟ ସରକାର ଏଥିପାଇଁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଅର୍ଥମନ୍ତ୍ରୀ ମୁଲତବୀ ପ୍ରସ୍ତାବର ଉତ୍ତର ଦେଉଥିବା ବେଳେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ ବୋଲି ଦର୍ଶାଇ କଂଗ୍ରେସ ସଦସ୍ୟମାନେ ଗୃହ ତ୍ୟାଗ କରିଥିଲେ।