ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଶନିବାର ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିଛନ୍ତି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତକୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ତେବେ ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ବରିଷ୍ଠ ନେତା ରମେଶ ଚନ୍ଦ୍ରା ଚ୍ୟାୟୁ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ମିଳିଛି। ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ ହୋଇଥିବା ସୁବାସ ସିଂ ଏହାର ଅଧ୍ୟକ୍ଷ ଭାବେ ଦୀର୍ଘଦିନ ହେବ ଦାୟିତ୍ୱ ତୁଲାଇ ଆସୁଥିଲେ। ସୂଚନା ଯୋଗ୍ୟ ଯେ ସୁବାସ ସିଂ ବର୍ତ୍ତମାନ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଜଣେ ଶ୍ରମିକ ନେତା ଭାବେ ତାଙ୍କର ରାଜ୍ୟରେ ବେଶ ଖ୍ୟାତି ରହିଥିବା ବେଳେ ବିଜୁ ଶ୍ରମିକ ସାମୁଖ୍ୟ ସହ ସେ ମଧ୍ୟ ଜଡିତ ଅଛନ୍ତି। ସୁବାସ ନିଜର ରାଜନୈତିକ ଜୀବନ ବାମ ଦଳରୁ ଆରମ୍ଭ କରିଥିବା ବେଳେ ବିଜୁ ଜନତା ଦଳରେ ଯୋଗ ଦେଇ ବହୁ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ସେହିପରି ଅନ୍ୟତମ ପ୍ରାର୍ଥୀ ମୁନା ଖାଁ ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ଜଣେ ସଂଖ୍ୟା ଲଘୁ ନେତା ସର୍ବୋପରି ଓଡ଼ିଆ ସିନେ ଜଗତରେ ଜଣେ ଅଭିନେତା ଓ ସାମାଜିକ କର୍ମୀ ଭାବେ ତାଙ୍କର ବେଶ ଖ୍ୟାତି ରହିଛି।
