ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୯ଟି ପ୍ରସ୍ତାବ ମଞ୍ଜୁରୀ

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ, ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ ରୁଲ୍‌ ଏବଂ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ମଞ୍ଜୁରୀ ମିଳିଛି।

ନିଷ୍ପତ୍ତି ଅନୁସାରେ, ରାଜ୍ୟର ଯେକୌଣସି ସ୍ଥାନରେ ଏସଟିପିଆଇ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ସରକାର ୩ ଏକର ପର୍ୟ୍ୟନ୍ତ ଜମି ବିନା ପ୍ରିମିୟମ ଏବଂ ବିନା ଆନୁସଙ୍ଗିକ ମୂଲ୍ୟରେ ଲିଜ୍‌ ଆକାରରେ ଯୋଗାଇଦେବେ। ଏଥିପାଇଁ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ଜମିର ବଜାର ଦରର ୧% ହିସାବରେ ଖଜଣା ଏବଂ ବାର୍ଷିକ ଖଜଣାର ୭୫% ସେସ୍‌ ଦେବାକୁ ପଡ଼ିବ।

ସେହିପରି ଚାକିରିରେ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ଥଇଥାନ ବ୍ୟବସ୍ଥା କରାଯାଇଛି। ଥଇଥାନ ସ୍ବରୂପ ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୩ୟ ଏବଂ ୪ର୍ଥ ଶ୍ରେଣୀ ପଦବୀରେ ଚାକିରି ପ୍ରଦାନ କରାଯିବ। ପ୍ରଚଳିତ ନିୟମ ଅନୁସାରେ ୩ୟ ଏବଂ ୪ର୍ଥ ଶ୍ରେଣୀ ମୂଳ ପଦବୀରେ ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଫଳରେ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଚଳିତ ୧୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଜିଲ୍ଲାର କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ୩୮ଟି ପଞ୍ଚାୟତ ଅଧୀନ ୨୧୯ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଖଣି ଦ୍ବାରା ଏହି ଗ୍ରାମଗୁଡ଼ିକର ଭୂତଳ ଜଳ ପ୍ରଭାବିତ ହୋଇଛି। ଠାଣେର ଭୋଲଟାସ ଲିମିଟେଡ କମ୍ପାନୀକୁ ଏହି ପ୍ରକଳ୍ପ କାର୍ଯ୍ୟ ଦିଆଯାଇଛି। ଏଥିପାଇଁ ୩୪୦ କୋଟି ୩୯ ଲକ୍ଷ ବ୍ୟୟ ଅଟକଳ ହୋଇଛି। ୨ ବର୍ଷ ଭିତରେ ଏହାର ନିର୍ମାଣ ଶେଷ ହେବ।