ରବିବାରଠାରୁ ଲାଗୁହେବ ଫାସଟାଗ୍, ନଥିଲେ ଦୁଇଗୁଣା ଟୋଲ ଦେବାକୁ ପଡ଼ିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରବିବାରଠାରୁ ଆରମ୍ଭ ହେବ ଫାସଟାଗ୍। ପୂର୍ବରୁ ଏହା ଡିସେମ୍ବର ୧ ତାରିଖଠାରୁ ଓଡ଼ିଶାରେ ୱାନ ନେସନ- ୱାନ ଫାସଟାଗ୍ ବ୍ୟବସ୍ଥା ଲାଗୁ ହେବପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ବିଭିନ୍ନ ଆଡ଼ୁ ଅନୁରୋଧ ଆସିବା ପରେ ଏହାକୁ କେନ୍ଦ୍ର ସରକାର ଏଥିରେ ୧୫ ଦିନର ମହଲତ ପ୍ରଦାନ କରିଥିଲେ। ଯାହା ରବିବାର ସମାପ୍ତ ହେବାକୁ ଯାଉଛି।

ଏହି ଟାଗ୍ ଦ୍ୱାରା ପୂର୍ବପରି ଆଉ ଗାଡ଼ିଚାଳକଙ୍କୁ ଆଉ ଟୋଲି ଗେଟରେ ଠିଆ ହେବାକୁ ପଡ଼ିବନି। ଯାତ୍ରୀମାନେ ଫାସଟାଗ୍ ଆପ ମାଧ୍ୟମରେ ଟୋଲଗେଟରେ ପରିବହନ କର ପ୍ରଦାନ କରିବେ। ଅଦ୍ୟାବଧି ଦେଶରେ ୩୦ ପ୍ରତିଶତ ପରିବହନ କର ଇଲୋକ୍ଟ୍ରୋନିସ ଟୋଲ କଲେକ୍ସନ ଯୋଜନା ମାଧ୍ୟମରେ ଆଦାୟ ହୋଇଛି। ଏହା ଏକ ସଂଯୋଗୀକୃତ ବ୍ୟବସ୍ଥା ହୋଇଥିବା ହେତୁ ଏହାର ଅନେକ ସୁବିଧା ରହିଛି। ଏହାଦ୍ୱାରା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରୁ ଆଦାୟ ହେଉଥିବା ଟୋଲ ଫି ସମ୍ବନ୍ଧିତ ସବିଶେଷ ତଥ୍ୟ ମିଳିବା ଅପେକ୍ଷାକୃତ ସହଜ ଓ ସରଳ ହୋଇପାରିବ।

ପାରିପାଶ୍ୱ ଦୃଷ୍ଟି କୋଣରୁ ମଧ୍ୟ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିବ ବୋଲି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଫାସଟାଗ୍ ବ୍ୟବସ୍ଥା ଲାଗୁହେଲେ ଟୋଲ ଫି ଅଡିଟରେ ସ୍ୱଚ୍ଛତା ଆସିବା ସହ ଯାତ୍ରୀଙ୍କର ଯାତ୍ରା ସମୟ ସାପେକ୍ଷ ହେବ। ଏହାବ୍ୟତୀତ ଇନ୍ଧନର ଅପଚୟ କିଛି ମାତ୍ରାରେ କମିବ। ଫାସଟାଗ୍ ଆପ ମାଧ୍ୟମରେ ଶୁଳ୍କ ପଇଠ କଲେ ଗ୍ରାହକମାନଙ୍କୁ ୨.୫ ପ୍ରତିଶତର ରିହାତି ମିଳିବ।

ତେବେ ଫାସଟାଗ୍ ନଥିବା ଗାଡ଼ିକୁଡ଼ିକ ଟୋଲ୍ ପ୍ଲାଜାରେ ଧରାପଡ଼ିଲେ ସେମାନଙ୍କୁ ଦ୍ୱିଗୁଣିତ ଟୋଲ ଦେବାକୁ ପଡ଼ିବ। ଏହି ଆପ୍ ସିଧାସଳଖ ଗ୍ରହକଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହେବାନେଇ ବ୍ୟବସ୍ଥା କରାଯାଇଛି। ସେହିପରି ଫାସଟାଗର ପ୍ରଚଳନ ଫଳରେ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ସଞ୍ଚୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟୋଲ୍ ପ୍ଲାଜାରେ ସମୟ ଅପଚୟ ଯୋଗୁଁ ସରକାରଙ୍କୁ ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ୁଥିଲା।