ନୀଳାଚଳ ପଲିଟେକ୍ନିକର ୨୩ତମ ପ୍ରତିଷ୍ଠା ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଚ୍ଛାଶକ୍ତି ବଳରେ ଓଡ଼ିଶାର ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣିବାର କ୍ଷମତା ରଖିଛି ଯୁବପିଢ଼ି- ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଆ ଯୁବକମାନେ ଯେବେ ନିଜ ଇଚ୍ଛା ଅନୁସାରେ ରାଜ୍ୟରେ ସମ୍ପନ୍ନତା ଆଣିବାର ନିଷ୍ପତ୍ତି ନେବେ ତଥା ନିଜେ ମାଲିକ ହେବାର ପ୍ରତିଜ୍ଞା କରିବେ ସେବେ ପୁନର୍ବାର ଓଡ଼ିଶାର ୧୧ ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣାଯାଇପାରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକର୩ତମ ପ୍ରତିଷ୍ଠା ସମାରୋହ ଯୋଗଦେଇ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୟ ରାଜ୍ୟର ଲୋକମାନେ  ଓଡ଼ିଶାର ସମ୍ପନ୍ନତା ଆଣିପାରିବେ ନାହିଁ। ବିଶେଷ ଭାବରେ ଯୁବପିଢ଼ିଙ୍କୁ ଓଡ଼ିଶାର ସମ୍ପନ୍ନତା ଆଣିବାକୁ ଉଦ୍ୟମ କରିବା ପାଇଁ ପଡ଼ିବ। ନୀଳାଚଳ ପଲିଟେକନିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାକୁ ସମ୍ମନ୍ନତା ଆଣିବାରେ ଆଗରେ ରହିବେ ବୋଲି ସେ କହିଛନ୍ତି।

ଏଥିସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ରୋଜଗାର, ପାଠପଢ଼ା ବ୍ୟତୀତ ଏ ଗୌରବଶାଳୀ ରାଜ୍ୟ ଓଡ଼ିଶାକୁଆଗକୁ ନେବାର ଆବଶ୍ୟକତା ରହିଛି। ସେହିପରି ଓଡ଼ିଶାରେ ବିଗତ ଦୁଇ ଦଶନ୍ଧି ଧରି ନୀଳାଚଳ ପଲିଟେକନିକ ଏକ ଶିକ୍ଷା ଅନୁଷ୍ଠାନ ଭାବେ ଲକ୍ଷ ଲକ୍ଷ ପିଲାଙ୍କୁ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ରାଜ୍ୟ ତଥା ଦେଶକୁ ଗଢ଼ି ତୋଳିବାରେଏହି ଶିକ୍ଷାନୁଷ୍ଠାନର ଯୋଗଦାନ ଅତୁଳନୀୟ। ଏହି ଶିକ୍ଷାନୁଷ୍ଠାନ ଦୁନିଆକୁ ପରିବର୍ତ୍ତନର କ୍ଷମତା ରଖିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ସହିଦ ବାଜି ରାଉତ ହଜାର ହଜାର ଲୋକଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ଇଂରେଜମାନଙ୍କ ଠାରୁ ଗୁଳି ଖାଇଥିଲେ।

ସେହିପରି ଧର୍ମପଦ ୧୨ଶହ କାରିଗରଙ୍କ ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଥିଲେ। ଯେଉଁ ରାଜ୍ୟରେ ଏଭଳି ସାହସୀ ପିଲା ଥିଲେ, ସେହି ମର୍ମରେ ଏକବିଂଶ ଶତାବ୍ଦୀରେ ପୃଥିବୀରେ ଯେଉଁ ନୂଆ ଅର୍ଥନୈତିକ ଢାଞ୍ଚା ହେବ, ତାର କେନ୍ଦ୍ରବିନ୍ଦୁ ନୀଳାଚଳ  ପଲିଟେକନିକ୍ ହେବ ବୋଲି ସେ କହିଛନ୍ତି। ସେହିପରି ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି କହିଛନ୍ତି ଯେ ନିଜ ନିଷ୍ପତ୍ତିର ମାଲିକ ନିଜେ ହେବା ଉଚିତ୍। ନିଜର ଇଚ୍ଛା ଅନୁଯାୟୀ କ୍ୟାରିୟର କରିବା ଦରକାର। କେବଳ ସାର୍ଟିଫିକେଟ୍ ପାଇଁ ପାଠ ନପଢ଼ି ରୁଚି ଓ ଇଚ୍ଛା ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର।

ଦାରିଦ୍ର୍ୟତାରୁ ମୁକ୍ତି ପାଇଁ ବିଦ୍ୟା ଅଧ୍ୟୟନ କରିବା ଦରକାର। ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗତ ଏପିଜେ ଅବୁଦଲ କଲାମ କେବଳ କାର୍ଯ୍ୟ ପାଇଁ ନୁହେଁ ନିଜ ଇଚ୍ଛା ଓଋଚି ପାଇଁ ଭାରତକୁ ଗୌରବାନ୍ବିତ କରି ପାରିଥିଲେ। ତାଙ୍କର ଇଚ୍ଛା ହେବାର ଦୂରଦୃଷ୍ଟି ତାଙ୍କର ରାଷ୍ଟ୍ରପତି ପଦକୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିଥିଲା। ଏହି ପରିପ୍ରେକ୍ଷୀରେ ସମାଜର ନୂଆପିଢ଼ି ଯେବେ ତାର ସ୍ୱାଭିମାନକୁ ଆଧାର କରିବ ତଥା ଲକ୍ଷ୍ୟ ପାଇଁ ଦୃଷ୍ଟି ରଖିବ ତେବେ ଯାଇ ତାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ନୀଳାଚଳ ପଲିଟେକନିକର ନୂଆ ୱେବସାଇଟ୍‌ ଉନ୍ମୋଚନ କରିଥିଲେ।