ପରଲୋକରେ ଚମ୍ପକ ଓ ରାଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବରିଷ୍ଠ ସିନେବ୍ୟକ୍ତିତ୍ୱଙ୍କର ପରଲୋକ ହୋଇଯାଇଛି। ଏହି ଦୁଇଜଣ ହେଲେ ପ୍ରଯୋଜକ ଚମ୍ପକ ଜୈନ ଓ ନିର୍ଦ୍ଦେଶକ ତଥା ଅଭିନେତା ରାଜୁ ମୱାନୀ। ବ୍ରେନ୍ ହାମରେଜ ଯୋଗୁ ଚମ୍ପକଙ୍କର ମୃତ୍ୟୁ ହୋଇଥିବାବେଳେ ରାଜୁ ଦୀର୍ଘ ଦିନ ଧରି କିଡନି ରୋଗ ଭୋଗୁଥିଲେ। ଚମ୍ପକ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଗମନ କରିଛନ୍ତି। ୧୯୯୪ରେ ମୁକ୍ତିପ୍ରାପ୍ତ, ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀ ଓ ସୈଫ୍ ଅଲ୍ଲୀ ଖାନ୍ ଅଭିନୀତ ‘ମେ ଖିଲାଡ଼ି ତୁ ଅନାଡ଼ି’ର ପ୍ରଯୋଜନା କରିଥିଲେ ଚମ୍ପକ। ସେ ମଧ୍ୟ ବିନସ୍ ରେକର୍ଡସ୍ ଆଣ୍ଡ୍ ଟେପସର ଅନ୍ୟତମ ମାଲିକ ଥିଲେ। ଏହାବାଦ୍ ଚମ୍ପକ ଶାହରୁଖ୍ ଖାନ୍ ଷ୍ଟାରର ‘ଜୋସ୍’ର ପ୍ରଡ୍ୟୁସର ଥିଲେ।

ଅନ୍ୟପକ୍ଷରେ ରାଜୁ ମୱାନୀ ୧୯୯୬ରେ ମୁକ୍ତିଲାଭ କରିଥିବା ସୁନୀଲ ସେଟ୍ଟୀ ଅଭିନୀତ ‘ରାମ ଔର୍ ଶ୍ୟାମ୍’, ସୁନୀଲ ସେଟ୍ଟୀ, ସୈଫ୍ ଅଲ୍ଲୀ ଖାନଙ୍କ ‘ସୁରକ୍ଷା’, ‘ଇନ୍ତେହା’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ରାଜୁ କେତୋଟି ଫିଲ୍ମରେ ପାଶ୍ୱର୍ ଅଭିନେତା ଭାବେ ଦେଖିବାକୁ ମିଳିଥଲେ। ୧୯୯୨ରେ ରିଲିଜ୍ ହୋଇଥିବା ସୁନୀଲ ସେଟ୍ଟୀଙ୍କ ‘ବଲୱାନ୍୍’ ଥିଲା ରାଜୁଙ୍କ ଅଭିନୀତ ପ୍ରଥମ ଫିଲ୍ମ। ୨୦୦୯ରେ ସିନେମାଘରକୁ ଆସିଥିବା ସଲମାନ ଖାନଙ୍କ ‘ୱାଣ୍ଟେଡ’ରେ ରାଜୁ ନିର୍ବାହ କରିଥିବା ‘ଦତ୍ତା ପାୱଲେ’ ଚରିତ୍ରକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଖଳ ଚରିତ୍ରରେ ଚମତ୍କାର ଅଭିନୟ କରି ସେ ଖୁବ୍ ପ୍ରଶଂସା ଲାଭ କରିଛନ୍ତି। ରାଜୁ ଅଭିନୟ କରିଥିବା ଆଉ କିଛି ସିନେମା ମଧ୍ୟରେ ରହିଛି ‘ସତ୍ୟା’, ‘ସରକାର’, ‘ଜୟ ହୋ’ ଏବଂ ‘ସୁଟ୍ ଆଉଟ୍ ଆଟ୍ ୱଡାଲା’। ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇର ଓସିୱାରା ଶ୍ମଶାନରେ ରାଜୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେଉଥିବା ଜଣାପଡ଼ିଛି।