ଓଡିଆ ଓ କୋଶଲୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଝରନର ସଙ୍ଗୀତ ଉନ୍ମୋଚିତ

ବଲାଙ୍ଗୀର,ଏନଏନଏସ: ଲୋକକଳା ଓ ସଂସ୍କୃତିର ବଳିଷ୍ଠ ବାର୍ତ୍ତାକୁ ନେଇ ଓଡିଆ ତଥା କୋଶଲୀ ଭାଷାରେ ନିର୍ମିତ ହୋଇଥିବା ଦ୍ୱିଭାଷୀ ଚଳଚ୍ଚିତ୍ର ଝରନର ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଚଳଚ୍ଚିତ୍ରର କାହାଣୀ ଲେଖିଥିବା ତଥା ସହ ନିର୍ଦ୍ଧେଶନା ଦେଇଥିବା ଅଧ୍ୟାପକ ପ୍ରଶାନ୍ତ ଖମାରୀ ଉନ୍ମୋଚନ କରିଥିଲେ । ଏହି ଚଳଚ୍ଚିତ୍ରରେ ସମୁଦାୟ ୭ ଟି ଗୀତ ସହିତ ଦଣ୍ଡ ଓ ପାରାୟଣ ମଧ୍ୟ ରହିଛି ।

ପଶ୍ଚିମାଞ୍ଚଳର ଜନଜୀବନରେ ଭର୍ତ୍ତି ହୋଇ ରହିଥିବା ପାରମ୍ପାରିକ ଲୋକ ସଙ୍ଗୀତକୁ ନେଇ ଗୀତ ଗୁଡିକ ରଚନା କରାଯାଇଥିବା ବେଳେ ସଙ୍ଗୀତ ନିର୍ଦ୍ଧେଶକ ପଙ୍କଜ ଜାଲଙ୍କ ନିର୍ଦ୍ଧେଶନାରେ ତାହା ଆହୁରି ଜୀବନ୍ତ ହୋଇ ଉଠିଛି । ପଙ୍କଜ ଜାଲ ସଙ୍ଗୀତ ନିର୍ଦ୍ଧେଶନା ଦେଇଥିବା ବେଳେ ଗୀତ ଗୁଡିକୁ ରଚନା କରିଛନ୍ତି ଶାନ୍ତନୁ ପୁରୋହିତ ଓ କପିଳେଶ୍ୱର ଖମାରୀ । ଗୀତ ସହିତ ରହିଥିବା ଛଟକା ଗୁଡିକ ଲେଖିଛନ୍ତି ସତ୍ୟ ନାଏକ । ଗୀତ ଗୁଡିକୁ ଗାଇଛନ୍ତି ନିଜେ ପଙ୍କଜ ଜାଲ , ତାଙ୍କ ପତ୍ନୀ ମାନସୀ ପାଣିଗ୍ରାହୀ ,ସର୍ବେଶ୍ୱର ଭୋଇ ଓ ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର ।

ସେହିପରି ଚଳଚ୍ଚିତ୍ର କୁ ଆଶୀଷ ଭଟ୍ଟାଚାର୍ଯ୍ୟ ନିର୍ଦ୍ଧେଶନା ଦେଇଥିବା ବେଳେ ପ୍ରଯୋଜନାର ଦାୟିତ୍ୱ ସମ୍ଭାଳିଛନ୍ତି ବିଶିଷ୍ଟ ସମାଜସେବୀ ଶ୍ରୀକର ମିଶ୍ର । ଏହା ସହିତ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଆମର ପାରମ୍ପାରିକ କଳା ଓ ସଂସ୍କୃତି ଅତ୍ୟନ୍ତ ମହାନ । ଝରଣା ଭଳି ସ୍ୱଚ୍ଛ ନିର୍ମଳ ଜଳ ଧରି ଅନବରତ ପ୍ରବାହିତ ହୋଇ ଚାଲିଛନ୍ତି । ଏହି ପ୍ରବାହ କେବେ ମଧ୍ୟ ବନ୍ଦ ହେବ ନାହିଁ । କେତେବେଳେ କେମିତି ପ୍ରତିବନ୍ଧକ ଆସିପାରେ । କିନ୍ତୁ ସେହି ପ୍ରତିବନ୍ଧକକୁ ହଟେଇ ଦେଇ ଝରଣା ରୂପି ଆମ ସଂସ୍କୃତି ଚିର ପ୍ରବହମାନ ରହିଥିବ ବୋଲି ଚଳଚ୍ଚିତ୍ରରେ ଦର୍ଶାଯାଇଛି ।

ଏହି ସଙ୍ଗୀତ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଜେ ପ୍ରଯୋଜକ ଶ୍ରୀ ମିଶ୍ର ପରିଚାଳନା କରିଥିବା ବେଳେ ବରିଷ୍ଠ ନାଟ୍ୟକାର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ , ରମେଶ ପୁରୋହିତ , ଭାସ୍କର ମେହେଟ୍ଟା , ଚିତ୍ତରଞ୍ଜନ ଦାସ , ସତ୍ୟ ନାଏକ , ପ୍ରହଲ୍ଲାଦ ଦର୍ଜି ଓ ନାରୀ ଅଭିନେତ୍ରୀ ଶ୍ରୀରାଧାଙ୍କ ସହିତ ଅନେକ କଳାକାର ଉପସ୍ଥିତ ଥିଲେ । ଏହି ଅବସରରେ ବିଶେଷ ଭାବେ ସଙ୍ଗୀତ ନିର୍ଦ୍ଧେଶକ ଓ ଗୀତିକାରମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ।

ଚଳିତ ମାସ ଶେଷ ସପ୍ତାହରେ କଟକର ରାଜଶ୍ରୀ ସିନେମାହଲ ଓ ବଲାଙ୍ଗୀର ର ରମାଇ ଟକିଜରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ଏହାର ପ୍ରଯୋଜକ ସୂଚନା ଦେବା ସହିତ ଛତିଶଗଡି ତଥା ହିନ୍ଦୀ ଭାଷାରେ ଚଳଚ୍ଚିତ୍ରକୁ ଡବିଂ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ।