ରାଜ୍ୟରେ ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟର ୯ ଜିଲ୍ଲା ହେବ ଫାଇଲେରିଆ ମୁକ୍ତ । ଏନେଇ ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପୁରୀ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି, କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର, ଦେବଗଡ଼ ଫାଇଲେରିଆ ମୁକ୍ତ ହେବ । ଅନ୍ୟ ୨୧ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ । ପରବର୍ତ୍ତୀ ସମୟରେ ବାକି ୧୧ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହେବ।

ପ୍ରଥମ ୧୦ଟି ଜିଲ୍ଲାରେ ଡିଇସୀ, ଆଲବେନଣ୍ଡାଜଲ୍ ଟାବଲେଟ ଲୋକଙ୍କୁ ଦିଆଯିବ । ଅନ୍ୟ ଜିଲ୍ଲାରେ ଏହି ଦୁଇ ଟାବଲେଟ ସହ ଆଇଭ୍ରମେକଟିନ୍ ଟାବଲେଟ ଦିଆଯିବ । ଏହିଭଳି ନିୟମିତ ବ୍ୟବଧାନରେ ଔଷଧ ସେବନ କଲେ ଖୁବଶୀଘ୍ର ରାଜ୍ୟ ଫାଇଲେରିଆ ମୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଏନେଇ କର୍ମଶାଳାରେ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ଅଜିତ କୁମାର ମହାନ୍ତି କହିଛନ୍ତି ଯେ, ଏମଡିଏ ପର୍ଯ୍ୟାୟରେ ଦଶଟି ଜିଲ୍ଲାରେ ଲୋକମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ ।

୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ସେବନ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀଗୁଡିକର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।