ଏସ୍‌ପି ଚରଣସିଂହ ମୀନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଏସ୍‌ପିମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି। ଗୋଟିଏ ଜଘନ୍ୟ ଅପରାଧ ମାମଲାରେ ତଦନ୍ତ ଚାଲୁଥିବା ସମୟରେ, ତଦନ୍ତ ରିପୋର୍ଟ ବା ଚାର୍ଜସିଟି ଦାଖଲ ହେବା ପୂର୍ବରୁ ଏସପି ଚରଣସିଂହ ମୀନା ଆସି ପ୍ରେସ ବିବୃତି ଦେଇ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଏକ ଭୟଙ୍କର ଷଡଯନ୍ତ୍ର ରଚିଛନ୍ତି। ଏ ନେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛନ୍ତି। ଏଥିସହ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଏସ୍‌ପି ବିଧିବଦ୍ଧ ଯୋଜନା କରିଛନ୍ତି ବୋଲି କହିଥିଲେ।

ଯାଜପୁର ଏସ୍‌ପି ଶାସକ ବିଜେଡିର ପ୍ରଭାବଶାଳୀ ଅପରାଧିକ ନେତାମାନଙ୍କୁ ଖସାଇଦେବା ପାଇଁ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡରେ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ମିଥ୍ୟା ତଥ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି ବୋଲି କହିଛନ୍ତି। ଯାଜପୁରଏସ୍‌ପି ଶ୍ରୀ ମୀନା ମୃତକ ସ୍ମିତାରାଣୀ ବିଶ୍ୱାଳଙ୍କ ଅବୈଧ ସମ୍ପର୍କ ଥିବା ନେଇ କହି ଓଡିଶାର ନାରୀ ଜାତିକୁ ଅସମ୍ମାନ କରିଛନ୍ତି। ଗଣଦୁଷ୍କର୍ମ ଏବଂ ହତ୍ୟା ତଦନ୍ତ ଭିତରେ ଶ୍ରୀ ମୀନା କିପରି ଜାଣିଲେ ଯେ, ସ୍ମିତାରାଣୀଙ୍କର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସହ ଅନୈତିକ ସମ୍ପର୍କ ରହିଛି। ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତ ରୁପେଶ ଭଦ୍ରର ବିବୃତିକୁ ନିଜେ ଏସ୍‌ପି ଦୋହରାଇବା  ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୋଷୀ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କୁ ଖସାଇଦେବାର ଷଡ଼ଯନ୍ତ୍ର

ଜଣେ ମହିଳା ମରି ସାରିବା ପରେ ତାଙ୍କ ଚରିତ୍ର ହନନ କରି ତାଙ୍କର ପରିବାର ଏବଂ ୪ ବର୍ଷର ଶିଶୁ କନ୍ୟାର ମାନବାଧିକାରକୁ ଘୋର ଉଲ୍ଲଂଘନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ପି ଚରମସିଂହ ମୀନା ଆଇନକୁ ବାଟମାରଣା କରିବା ଏବଂ ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ଆରୋପରେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କ ଆଗରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।