ଭୁବନେଶ୍ୱର,ଏନ୍ଏନ୍ଏସ୍: ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ଏହି ଅବସରରେ ରାଜଭବନରେ ଆୟୋଜିତ ହୋଇଥିବା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇଥିଲେ । ଏଥିରେ ରାଷ୍ଟ୍ରପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସମଗ୍ର ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମୁଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଛି । ଆଶା କରୁଛି ପ୍ରଭୁ ଜଗନ୍ନାଥ ମୋର ପ୍ରାର୍ଥନା ଶୁଣିବେ । ପୁରୀରେ ଏଏସଆଇ ସର୍କଲ ଅଫିସ ଆବଶ୍ୟକ ଥିବା ହୃଦବୋଧ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଳୋଚନା ହୋଇଥିଲା । ପୁରୀରେ ଏଏସଆଇ ସର୍କଲ ଅଫିସ ଖୋଲିବା ନିଷ୍ପତ୍ତି ପାଇଁ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛି । ନିଜ ମାଟିରେ ଏକ ନିଆରା ଆକର୍ଷଣ ରହିଛି । ଜନ୍ମଭୂମିକୁ ଆସି ମୁଁ ଆଜି ଖୁବ୍ ଆନନ୍ଦିତ ଅନୁଭବ କରୁଛି ।