ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ବଞ୍ଚାଇବାକୁ ପ୍ରୟାସ, ତାଲିମ ନେଉଛନ୍ତି କନଷ୍ଟେବଳ ଓ ହୋମଗାର୍ଡ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ସଡକ ଦୁର୍ଘଟଣା । ପ୍ରତିଦିନ ଦୁର୍ଘଟଣା ଯୋଗୁଁ ଅନେକଙ୍କ ଜୀବନ ଯାଉଛି । ଫଳରେ ରାଜ୍ୟରେ ପ୍ରତିବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାର ଲାଗିଛି । ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ ଏବେ ଆରମ୍ଭ ହୋଇଛି ପ୍ରୟାସ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ତାଲିମ ନେଉଛନ୍ତି କନଷ୍ଟେବଳ ଓ ହୋମଗାର୍ଡ ।

ଦୁର୍ଘଟଣା ଗ୍ରସ୍ତ ଲୋକକୁ ପ୍ରଥମେ ଆଶୁ ଚିକିତ୍ସା ଓ ପ୍ରାରମ୍ଭିକ ଚିକିତ୍ସା ଦେବା ପରେ ଅନେକ କ୍ଷେତ୍ରରେ ବଞ୍ଚିପାରିବ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି । ଏନେଇ ଆରମ୍ଭ ହୋଇଛି ଫାଷ୍ଟ ରେସ୍ପଣ୍ଡର ପ୍ରୟାସ । କନଷ୍ଟେବଳ ଓ ହୋମଗାର୍ଡଙ୍କୁ ପ୍ରଥମ ଫେଜରେ ଟ୍ରେନିଂ ଦିଆଯାଉଥିବା ବେଳେ ଢାବା କର୍ମଚାରୀଙ୍କୁ ମଧ୍ୟ ଏନେଇ ଟ୍ରେନିଂ ଦିଆଯିବ । ଫଳରେ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରହିବ । କାରଣ ପ୍ରତିବର୍ଷ ୫ହଜାରରୁ ଉର୍ଦ୍ଧ୍ଵ ଲୋକ ରାଜ୍ୟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।

ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୫ ହଜାର ୨ଶହ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ୨୦୨୦ ତୁଳନାରେ ୨୦୨୧ରେ ଏହା ୭.୨୪ ପ୍ରତିଶତ ବଢିଛି । ଏପରି ସ୍ଥଳେ ଦୁର୍ଘଟଣାରେ ଶିକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ପରିବହନ ବିଭାଗର ଜଏଣ୍ଟ କମିସନର କହିଛନ୍ତି ଯେ, ”ରାଜ୍ୟର ଦୁର୍ଘଟଣାର ହାର ଶତକଡା ୪୮ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ୩୩ ପ୍ରତିଶତ ରହିଛି । ତେବେ ମୃତ୍ୟୁହାର କମାଇବା ଆମର ପ୍ରଥମ ଦାୟିତ୍ବ । ଏନେଇ ଫାଷ୍ଟ ରେସ୍ପଣ୍ଡର ଭାବେ ୪ହଜାର ଜଣ ଟ୍ରେନିଂ ନେଇସାରିଲେଣି । ଆଗକୁ ୩୦ହଜାର ଲୋକଙ୍କୁ ଟ୍ରେନିଂ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି । ଏପରିକି ଢ଼ାବା କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଯୋଜନା ରହିଛି । ଯାହାଦ୍ବାରା ଦୁର୍ଘଟଣା ସ୍ଥଳରେ ଢାବା ଟିଏ ଥିଲ ବି ଲୋକଟି ବଞ୍ଚିପାରିବ ଯଦି ବେସିକ ଲାଇଫ ସର୍ପୋଟ ଦିଆଯିବ ।”

୨୦୨୧ରେ ୧୦,୯୮୪ ଟି ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଛି । ସେଥିରୁ ୫,୦୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୭୮୨ ଆହତ ହୋଇଛନ୍ତି । ରାଜ୍ୟରେ ୨୦୧୪ରେ ସଡ଼କ ଦୁର୍ଘଟଣାରେ ୩,୯୩୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଯଦି ତଥ୍ୟକୁ ତର୍ଜମା କରାଯାଏ, ତେବେ ୨୦୧୪ ତୁଳନାରେ ୨୦୨୧ରେ ୨୯ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢିଛି । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଅଧା କରିବା ଲାଗି ୨୦୨୦ରେ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ ତୁଳନାରେ ୨୦୨୧ରେ ଗଜପତି, ଝାରସୁଗୁଡା, ବୌଦ୍ଧ ଓ ରାୟଗଡ଼ାରେ ମୃତ୍ୟୁ ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ରହିଛି । ଗଜପତି ଜିଲ୍ଲାରେ ୨୦୨୦ରେ ୯୪ଟି ଦୁର୍ଘଟଣା ରିପୋର୍ଟ ହୋଇଥିଲା । ସେଥିରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୧ରେ ୧୨୫ ଦୁର୍ଘଟଣା ରିପୋର୍ଟ ହୋଇଥିବାବେଳେ ୫୭ ଜଣଙ୍କର ମୃତ୍ୟୁ ହୋଇ ଥିବା ଜଣାପଡିଛି । ଫଳରେ ଗଜପତି ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୦୨୦ ତୁଳନାରେ ୨୦୨୧ରେ ୩୨.୫୬ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୨୦୨୦ ତୁଳନାରେ ୨୦୨୧ ବର୍ଷରେ ଝାରସୁଗୁଡାରେ ୨୯.୦୩, ବୌଦ୍ଧରେ ୨୮.୫୭, ରାୟଗଡ଼ା ୨୬.୬୭ ପ୍ରତିଶତ ଅଧିକ ଜୀବନ ନେଇଛି ସଡ଼କ ଦୁର୍ଘଟଣା । ୨୦୨୧ରେ କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା ଓ କଟକରେ ଦୁଇ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।