ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଜାତୀୟ ହସ୍ତ ତନ୍ତ ଦିବସ। ଓଡିଶାର ୯ ଟି ହସ୍ତ ତନ୍ତ ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଛି । ଏଥିରେ ରହିଛି କାଳାହଣ୍ଡିର ହବସପୁରୀ ଓ ଖୋର୍ଦ୍ଧାର ଧଳାପଥର ପରଦା ଶାଢୀ । ହେଲେ ଏହି ଶାଢୀ ଏବେ ବଜାରରେ ଉପଲବ୍ଧ ନାହିଁ । ପ୍ରଚାର ପ୍ରସାର ଅଭାବରୁ ଏବେ ଦୃଷ୍ଟି ଆଢୁଆଳରେ ଏହି ଶାଢ଼ୀ। ଓଡିଶା ହସ୍ତତନ୍ତର ପରମ୍ପରାକୁ ବଜାଇ ରଖି ଆସୁଥିବା ଏହି ଶାଢିଗୁଡିକର ପ୍ରକୃତ ଡିଜାଇନ୍ ଏବେ ଦୃଷ୍ଟି ଆଢୁଆଳରେ ରହିଛି । ଜାତୀୟ ହସ୍ତ ତନ୍ତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଯେଉଁ ଶାଢୀ ଜିଆଇ ଟ୍ୟାଗ ପାଇଁ ଆମ ରାଜ୍ୟ ଗର୍ବ କରୁଛି , ସେହି ଶାଢୀକୁ ନା ବୁଣାକାର ବୁଣୁଛି ନା ଗ୍ରାହକଙ୍କ ପାଖରେ କିଛି ସୂଚନା ଅଛି । ଆଉ ଦେଖିବାକୁ ମିଳୁନି ଧଳାପଥର ପରଦା ଓ ହବସପୁରୀ ଶାଢୀ । ହଜିବାକୁ ବସିଲାଣି କଳାହାଣ୍ଡିର ହବସପୁରୀ ଓ ଖୋର୍ଦ୍ଧାର ଧଳାପଥର ପରଦାରେ ପ୍ରସ୍ତୁତ ପ୍ରକୃତ ଶାଢୀ । ଆବଶ୍ୟକ କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଏ ଅବସ୍ଥା ।
କୋଟପାଡ଼ ହସ୍ତତନ୍ତ ଫେବ୍ରିକ୍ସ, ଓଡ଼ିଶା ଇକତ, କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଖଣ୍ଡୁଆ ଶାଢ଼ୀ ଆଣ୍ଡ୍ ଫେବ୍ରି କସ, ଗୋପାଳପୁର ଟସର ଫେବ୍ରିକ୍ସ, ଧଳାପଥର ପର୍ଦା ଆଣ୍ଡ୍ ଫେବ୍ରିକ୍ସ, ସମ୍ବଲପୁରୀ ବାନ୍ଧ ଶାଢ଼ୀ ଆଣ୍ଡ୍ ଫେବ୍ରିକ୍ସ, ବମକାଇ ଶାଢ଼ୀ ଆଣ୍ଡ୍ ଫେବ୍ରିକ୍ସ, ହବାସପୁରୀ ଶାଢ଼ୀ ଆଣ୍ଡ୍ ଫେବ୍ରିକ୍ସ ଓ ବ୍ରହ୍ମପୁର ପାଟ (ଫୋଡ଼ାକୁମ୍ଭ) ଶାଢ଼ୀ ଓ ଯୋଡ଼। ଏହି ୧୨ ଟି ସାମଗ୍ରୀ ଜିଆଇର ହସ୍ତଶିଳ୍ପ ଅଧିନରେ ଥିବା ବେଳେ ୯ ଟି ହସ୍ତ ତନ୍ତ ଓ ୩ ଟି ହସ୍ତଶିଳ୍ପ ସାମଗ୍ରୀ ରହିଛି । ଦେଶର ଅର୍ଥନିତୀକୁ ସୁଦୃଢ କରିବା ପାଇଁ ହସ୍ତ ତନ୍ତର ରହିଛି ଅବଦାନ । ହେଲେ ଏବେ ଏହି ଶାଢୀ ଗୁଡିକର ପ୍ରକୃତ ଡିଜାଇନ୍ କେଉଁଠାରେ ବି ମିଳୁନି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଏହି ଶାଢୀ କିଭଳି ବଜାରରେ ଉପଲବ୍ଧ ହେବ ଏଥିପ୍ରତି ଦୃଷ୍ଟି ଦେବେ ।