ରବିବାର ଓଡିଶା ଆସୁଛନ୍ତି ଅମିତ ଶାହ, ସ୍ବାଗତ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି

ଭୁବନେଶ୍ବର,ଏନ୍ଏନ୍ଏସ୍: ରବିବାର ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରାବଣ ମାସର ଶେଷ ସୋମବାର ଦିନ ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି। ସେହିପରି କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର ୭୫ ତମ ପ୍ରତିଷ୍ଠା ଦିବସରେ ଶାହ ସାମିଲ ହେବେ। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରେ ରାତିରେ ପହଞ୍ଚିବେ। ଅଗଷ୍ଟ ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଶାହ।’

ଏହାପରେ ସେ କଟକ ଗସ୍ତ କରିବେ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଭୟ ଭୁବନେଶ୍ୱର ଓ କଟକ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ କଟକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ।

ଓଡିଶାର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ପ୍ରଜାତନ୍ତ୍ର ଖବରକାଗଜର ୭୫ ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ। ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବେ ଗୃହମନ୍ତ୍ରୀ।

ଅପରାହ୍ନ ୫ଟାରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଡ଼ିଜିଟାଲ ଇଣ୍ଡିଆ ପବ୍ଲିସର ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଦୀ @ ୨୦ର ବୁକ୍ ରିଡ଼ିଂ କାର୍ଯ୍ୟକ୍ରମରେ ଯୋଗ ଦେବେ। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଫେରିଯିବେ। ଅମିତ ଶାହଙ୍କ ଏହି ଗସ୍ତ ଓଡିଶାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଭରି ଦେଇଛି। ତେଣୁ ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି।

କଟକ ଗସ୍ତ ସମୟରେ ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କଟକ ଫୁଲନଖରା ଛକ, ଲିଙ୍କ ରୋଡ, ନିଶାମଣି ହଲ, ପାଲା ମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର, ସେମିନାର ଛକ ଓ ଦର୍ଘା ବଜାର ଛକ ଦେଇ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଶାହଙ୍କୁ ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ସେଠାରୁ ଫେରିବାବେଳେ ତିନିକୋଣିଆ ବଗିଚା, ବକ୍ସି ବଜାର, ଚଣ୍ଡୀ ମନ୍ଦିର ଛକ, ବାରବାଟି ଦୁର୍ଗ ଓ କଲେଜ ଛକ ଦେଇ ପ୍ରତ୍ୟାବର୍ତ୍ତନ କରିବେ। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଢଙ୍ଗରେ ଅମିତ ଶାହଙ୍କୁ ସ୍ୱାଗତ କରାଯିବ।