ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ରାଜରାସ୍ତାରେ ଆଜି ସକାଳୁ ଏକ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହା କୌଣସି ଫିଲ୍ମର ଦୃଶ୍ୟ ନଥିଲା, ସତ ଘଟଣା ଥିଲା । ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତୃପ୍ତି କହୁୂଥିଲେ ଯେ, ‘ତୁ ମୋ ପରିବାର ଧ୍ୱଂସ କରିଛୁ।’ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଘଟଣା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ମର୍ଯ୍ୟାଦା ହାନି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏଥିସହିତ ପ୍ରକୃତି ଏବେ ଚେନ୍ନାଇରେ ଥିବା ମନ୍ମଥ ମିଶ୍ର ସ୍ପଷ୍ଟ କରିଛନ୍ତି ।
ଉକ୍ତ ଘଟଣା ଘଟିବା ପରେ ପ୍ରକୃତି ମିଶ୍ର କହିଛନ୍ତି ଯେ, ମୋତେ ଏୟାରପୋର୍ଟକୁ ଆଣିବାକୁ ବାବୁସାନ ଯାଇଥିଲେ । ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ହଠାତ୍ ଗୁଣ୍ଡା ଧରି ଆସି ଆକ୍ରମଣ କଲେ । ବାବୁସାନଙ୍କୁ ଟର୍ଚର କରିବା ସହ ମୋତେ ଫିଜିକାଲ ଆବ୍ୟୁଜ କଲେ । ମୋ ଚୁଟି ଧରି ଭିଡ଼ାଭିଡ଼ି କରିଛନ୍ତି । ମୋ ସହ ଯାହା ଘଟିଛି ମୁଁ କେବେ ଭୁଲିବି ନାହିଁ । ମୁଁ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବି ।
ଅନ୍ୟପଟେ ବାବୁସାନ ମହାନ୍ତି କହିଛନ୍ତି ଯେ, ପ୍ରକୃତି ମୋର ଭଲ ସାଙ୍ଗ । ମୋ ଫିଲ୍ମର ପ୍ରମୋସନ ପାଇଁ ଆମେ ଆଜି ଚେନ୍ନାଇ ଆସିଥିଲୁ । ପ୍ରକୃତିଙ୍କୁ ଏୟାରପୋର୍ଟ ଆଣିବା ପାଇଁ ମୁଁ ଯାଇଥିଲି । ରାସ୍ତାରେ ମୋ ପତ୍ନୀ ହଠାତ୍ ଆସି ଆକ୍ରମଣ କଲେ । ଶ୍ୱଶୁର ବି ଆସି ହାରାସ୍ କଲେ ଯାହା ଆଦୌ ଠିକ୍ ନୁହେଁ । ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ସଂପୃକ୍ତ ନୁହଁନ୍ତି । ଆମ କାମ କ’ଣ, ଆମ କାମକୁ ସେ ଜାଣିପାରୁ ନାହାନ୍ତି । ଇଣ୍ଡଷ୍ଟ୍ରୀରେ ବହୁତ ହିରୋଇନଙ୍କ ସହ କାମ କରିବାକୁ ପଡ଼େ । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରିବାକୁ ବାଧ୍ୟ । ମୁଁ ମୋ ପତ୍ନୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେବିନି ପ୍ରକୃତି ଯାହା କରିବା କଥା କରିବେ ।