ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ, ୫ ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଶନିବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନସିପକୁ ଉଦଘାଟନ କରିଛନ୍ତି । ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଉଥିବା ଏହି ଚାମ୍ପିଅନସିପ ୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୩ ନୂଆ ମିଟ୍‌ ରେକର୍ଡ ପ୍ରତିଷ୍ଠା ହୋଇଛି ।

ଚାମ୍ପିଅନସିପର ଉଦଘାଟନ କରି କ୍ରୀଡାମନ୍ତ୍ରୀ କହିଥିଲେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ । ପ୍ରତିଯୋଗୀଙ୍କ ପାଇଁ ସମଗ୍ର ଓଡିଶା ଗର୍ବିତ । ଏହିପରି ଟୁର୍ଣ୍ଣାମେଣ୍ଟ ଆମେ ପ୍ରଥମ ଥର ପାଇଁ ଆୟୋଜିତ କରିଛୁ । ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ରାଜ୍ୟ ସରକାର ସନ୍ତରଣକୁ ସର୍ବଶ୍ରେଷ୍ଠ ସ୍ତରକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଉଦଘାଟନୀ ଉତ୍ସବରେ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗ ଦେଇଥିଲେ ।

ପ୍ରଥମ ଦିନରେ ୧୦୦ମିଟର ବ୍ୟାକଷ୍ଟ୍ରୋକ (ଗ୍ରୁପ-୧ବାଳିକା) କର୍ଣ୍ଣାଟକର ରିଦ୍ଧିମା ବୀରେନ୍ଦ୍ର କୁମାର ନୂଆ ମିଟ ରେକର୍ଡ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧:୦୪.୯୬ ସକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଛୁଇଁବାରେ ସଫଳ ହୋଇଥିଲେ । ୧୦୦ମିଟର ବ୍ୟାକଷ୍ଟ୍ରୋକ (ଗ୍ରୁପ-୧ବାଳକ)ରେ ସୁହାସ ପ୍ରୀତ ଏମ୍ ୧:୦୧.୨୯ ସେକେଣ୍ଡ ସହ ନୂଆ ମିଟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

ଏହି ପ୍ରତିଯୋଗିତାରେ ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସୁଇମିଂରେ ୨୫୪ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୫୨୮ ଜଣ ପ୍ରତିଯୋଗୀ ରହିଥିବା ବେଳେ ୱାଟର୍ ପୋଲୋରେ ୧୦୫ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୩୨୫ ଜଣ ପ୍ରତିଯୋଗୀ ରହିଛନ୍ତି । ପ୍ରତିଯୋଗିତା ନିମନ୍ତେ ୭୫ ଜଣ ଟେକ୍ନିକାଲ ଅଧିକାରୀ ଏବଂ ୫୦ ଜଣ ସହାୟକ କର୍ମଚାରୀ ରହିଛନ୍ତି । ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ ୨୦ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।