ରକ୍ତଦାତାଙ୍କ ଗହଣରେ ଜନ୍ମଦିନ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ବିଜୁ
ଜନତା ଦଳ ନିଜ ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ‘ଜୀବନ ବିନ୍ଦୁ’ ବିଶିଷ୍ଟ ଜନନାୟକ ବିଜୁ ବାବୁଙ୍କ ୯୯ତମ ଜୟନ୍ତୀ ୫ ମାର୍ଚ୍ଚ, ୨୦୧୫ ମସିହାରେ ଶୁଭାରମ୍ଭ କରିଥିଲା। ରାଜ୍ୟର ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବିଜେଡିର ଶୁଭେଚ୍ଛୁ ତଥା ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ବିଭିନ୍ନ ଜିଲ୍ଲା, ବ୍ଲକ, ସହରାଞ୍ଚଳ ଓ ପଞ୍ଚାୟତରେ ଆୟୋଜନ କରାଯାଇ ଏ ପର୍ଯ୍ୟନ୍ତ ୩ଲକ୍ଷ ୮ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଆବଶ୍ୟକତା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି। ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟର ଜନସାଧାରଣଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମର କ୍ରମାଗତ ସଫଳତାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ତିଥିରେ ବିଜୁ ଜନତା ଦଳ ୧୬ ଅକ୍ଟୋବର ଦିନ ରାଜ୍ୟବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ
ହେବ। ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ। ଗୋଟିଏ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁ ଜନତା ଦଳର ଶୁଭେଚ୍ଛୁ, କାର୍ଯ୍ୟକର୍ତ୍ତା, ସ୍ଥାନୀୟ ନେତୃମଣ୍ଡଳୀ ଓ ଜନସାଧାରଣଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହେବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶ୍ରୀ ଦେବାଶିଷ ସାମନ୍ତରାୟ କହିଛନ୍ତି। ଏହି ସମ୍ମିଳନୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଳର ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।