ଭୁବନେଶ୍ବର,ଏନ୍ଏନ୍ଏସ୍: ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କିଡନୀ ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି। ତେବେ ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।”
ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି। ଶନିବାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ବିପ୍ଳବ ପାତ୍ର ସୂଚନା ଦେଇଥିଲେ। ଗତ ୧୪ ଦିନ ହେବ ତାଙ୍କର ଚିକିତ୍ସା ଚାଲିଛି ଓ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସମୟରେ ସେ କୌଣସି ସରକାରୀ ଦାୟିତ୍ବ ନେବାକୁ ଅସମର୍ଥ ଥିବା ପୁଅ ବିପ୍ଳବ ପାତ୍ର କହିଛନ୍ତି।