ଭିଜିପାରେ ପୂଜାମଣ୍ଡପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂଜାକୁ କିଛି ମାତ୍ରାରେ ଫିକା କରିପାରେ ବର୍ଷା। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଓଡ଼ିଶାର କିଛି ଜିଲ୍ଲା ପାଇଁ ଘଡ଼ଘଡ଼ି ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଆଜି ଓଡ଼ିଶା ଉପରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ ରହିଥିବା ବେଳେ ବଙ୍ଗୋପସାଗରୀୟ ପବନ ବୋହୁଥିଲା। ସୋମବାର ଏହି ଘୂର୍ଣ୍ଣିବଳୟ ଦକ୍ଷିଣ ଆଡ଼କୁ ଗତି କରିବା ସହିତ ୮ ତାରିଖରେ ଦକ୍ଷିଣ ଭାରତରେ ରହିବ; ଯାହାଦ୍ୱାରା ରାଜ୍ୟକୁ ବଙ୍ଗୋପସାଗରୀୟ ଦକ୍ଷିଣା ପବନ ବୋହିବ। ଏହାର ପ୍ରଭାବରେ ସୋମବାର ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପ ବର୍ଷା ହେବା ସହିତ ମୟୂରଭଞ୍ଜ ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସାଙ୍ଗକୁ ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ମଧ୍ୟ ହୋଇପାରେ। ସେହିପରି ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକ ଯଥା- ଅବିଭକ୍ତ କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲକାରୁ ସ୍ୱଳ୍ପ ବର୍ଷା ହେବା ସହ ଗୋପାଳପୁରରୁ ଚାନ୍ଦବାଲି ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୮ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବର୍ଷାର ସମ୍ଭାବନା କମ୍ ଥିବା ବେଳେ ଭୁବନେଶ୍ୱର ସମେତ କଟକରେ ପାଗ ଆଂଶିକ ମେଘୁଆ ରହିବ। ହୁଏତ ଦିନ ଦୁଇଟା ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ ଅସରାଏ ବର୍ଷା ହେବାର ଆଶଙ୍କା ରହିଛି।

ତେବେ ୯ ତାରିଖରେ ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ପଶ୍ଚିମା ଓ ବଙ୍ଗୋପସାଗର ପବନର ମିଶ୍ରଣ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ଏହାସାଙ୍ଗକୁ ୯ ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଆଉ ଏକ ଦୁର୍ବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ ପୂର୍ବାନୂମାନ କରିଛନ୍ତି। (ପ୍ରଦୀପ)